ସୋସିଆଲ ମିଡ଼ିଆ ବ୍ୟାନକୁ ବିରୋଧ କଲେ Gen-Z: ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା

ସଂସଦ ଭିତରକୁ ଧସେଇ ପଶିଲେ। ସଂସଦରେ ନିଆଁ ଲଗାଇ ଦେଲେ।

ବିକ୍ଷୋଭ ବେଳେ ୨୦ ମୃତ, ୨୫୦ରୁ ଉର୍ଦ୍ଧ୍ବ ଆହତ

କାଠମାଣ୍ଡୁ, ୮/୯: ନେପାଳରେ ବିଦ୍ରୋହ। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିରୋଧରେ ତେଜିଛି ନିଆଁ। ତେବେ ବିଦ୍ରୋହ କରିଛନ୍ତି ଜେନ-ଜି। ଜେନ-ଜି ଯାହା ଏକ ଜେନେରେସନ, ୧୯୯୦ରୁ ୨୦୧୦ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ। କେପି ଓଲି ସରକାରଙ୍କ ଦୁର୍ନୀତି ଓ ଦେଶରେ ସୋସିଆଲ ମିଡ଼ିଆ ବ୍ୟାନ କରିବା ପରେ ଏହି ଜେନ-ଜିଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।

କେପି ଶର୍ମା ଓଲି ସରକାରଙ୍କ ନିକଟରେ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍ କରିବା ବିରୋଧରେ ନେପାଳରେ ଏହି ବିଶାଳ ପ୍ରତିବାଦର ନେତୃତ୍ୱ ନେଉଛନ୍ତି ଜେନ୍-ଜି।

ପ୍ରତିବାଦ ଏତେ ବଢି ଯାଇଥିଲା ଯେ, ସଂସଦ ନିକଟରେ ବିକ୍ଷୋଭ ପ୍ରଦର୍ଶନକାରୀମାନଙ୍କ ସହିତ ପୋଲିସର ସଂଘର୍ଷ ହୋଇଥିଲ। ଏହା ପରେ ସୁରକ୍ଷା କର୍ମୀ ଗୁଳି ଚଳାଇଥିଲେ। ଯେଉଁଥିରେ ଅତି କମରେ ୨୦ ଜଣ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହେବା ସହ ୨୫୦ ରୁ ଅଧିକ ଆହତ ହୋଇଛନ୍ତି।

ହଜାର ହଜାର ଯୁବବର୍ଗ କାଠମାଣ୍ଡୁରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୋଲିସ ବ୍ୟାରିକେଡ୍ ଭାଙ୍ଗି ସଂସଦ ଭିତରକୁ ଧସେଇ ପଶିବା ସହ ସଂସଦରେ ନିଆଁ ଲଗାଇ ଦେଇଛନ୍ତି। ସଂଘର୍ଷ ବଢ଼ିବାରୁ ପୋଲିସ ବିଭିନ୍ନ ସ୍ଥାନରେ ଗୁଳି ଚଳାଇଥିଲା, ଯାହା ଫଳରେ ରାଜଧାନୀରେ କର୍ଫ୍ୟୁ ଜାରି ହୋଇଛି। କାଠମାଣ୍ଡୁରେ ସେନାବାହିନୀ ମୁତୟନ ହୋଇଛନ୍ତି।

ଏହି ସମୟରେ, କାଠମାଣ୍ଡୁର ବାଲୁୱାତାରରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନେପାଳର ଜାତୀୟ ସୁରକ୍ଷା ପରିଷଦର ଏକ ଉଚ୍ଚସ୍ତରୀୟ ବୈଠକ ଚାଲିଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏହି ବୈଠକର ଅଧ୍ୟକ୍ଷତା କରୁଛନ୍ତି, ଯେଉଁଥିରେ ମୁଖ୍ୟ ସଚିବ ଏକ ନାରାୟଣ ଆର୍ଯ୍ୟଲ, ଅର୍ଥମନ୍ତ୍ରୀ ବିଷ୍ଣୁ ପାଉଡେଲ, ଗୃହମନ୍ତ୍ରୀ ରମେଶ ଲେଖକ, ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା, ପ୍ରତିରକ୍ଷା ମନ୍ତ୍ରୀ ମନବୀର ରାୟ ଏବଂ ସେନା ମୁଖ୍ୟ ଅଶୋକ ରାଜ ସିଗଡେଲ ଯୋଗ ଦେଇଛନ୍ତି।

ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ ପଞ୍ଜିକରଣ ନ ହୋଇଥିବାରୁ ସେପ୍ଟେମ୍ବର ୪ ରେ ଫେସବୁକ୍, ଟ୍ୱିଟର, ହ୍ୱାଟ୍ସଆପ୍ ଏବଂ ୟୁଟ୍ୟୁବ୍ ସମେତ ୨୬ ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଅବରୋଧ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ।

ସରକାରଙ୍କ ଦ୍ୱାରା ଏହି ନିୟମ ଲାଗୁ କରାଯିବା ପରେ ଫୋନ୍ ଏବଂ ଇଣ୍ଟରନେଟ୍ ବ୍ଲାକଆଉଟ୍ ହୋଇଯାଇଛି। ଏହା ସତ୍ତ୍ୱେ ଜେନ-ଜିମାନେ ସ୍ୱର ଉତ୍ତୋଳନ କରିବା ପାଇଁ ଟିକଟକ୍ ଏବଂ ରେଡିଟର ବ୍ୟବହାର କରିଥିଲେ। ହଜାର ହଜାର ଯୁବ ପ୍ରଦର୍ଶନକାରୀ ଏକାଠି ହୋଇ ସରକାର ଏବଂ ଏହାର ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇଛନ୍ତି।

ସୋମବାର ଦିନ ବିକ୍ଷୋଭକାରୀମାନେ ସଂସଦ ନିକଟରେ ପହଞ୍ଚିବା ମାତ୍ରେ ପୋଲିସ ବ୍ୟାରିକେଡ୍ ନିର୍ମାଣ କରିଥିଲା, କିନ୍ତୁ ଉତ୍ତ୍ୟକ୍ତ ଯୁବ ବର୍ଗ ସଂସଦ ଭିତରକୁ ଧସେଇ ପଶି ଆସିଥିଲେ, ଯାହା ଫଳରେ ଅଧିକାରୀମାନେ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ପାଣି ମାଡ଼ କରିଥିଲା।

ପ୍ରଦର୍ଶନକାରୀମାନେ ସଂସଦର ଗୋଟିଏ ଫାଟକକୁ ଭାଙ୍ଗି ପକାଇ ନିଆଁ ଲଗାଇ ଦେଇଥିଲେ। ଅନେକ ଆନ୍ଦୋଳନକାରୀ ସ୍କୁଲ ଏବଂ କଲେଜ ପୋଷାକ ପିନ୍ଧି ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ସେମାନେ “ସ୍ୱାଧୀନ ସ୍ୱର ଆମର ଅଧିକାର” ଏବଂ “କରଦାତାଙ୍କ ଟଙ୍କା କେଉଁଠି ଗଲା?” ଭଳି ସ୍ଲୋଗାନ ଲେଖାଥିବା ପତାକା ଏବଂ ପ୍ଲାକାର୍ଡ ଧରିଥିଲେ।

ତେବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପଞ୍ଜିକୃତ ନ ଥିବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମଗୁଡ଼ିକୁ ନିଷେଧ କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ “ଦେଶକୁ ଦୁର୍ବଳ କରିବାର ଯେକୌଣସି ପ୍ରୟାସକୁ କେବେ ବି ସହ୍ୟ କରାଯାଇପାରିବ ନାହିଁ। ଦେଶର ସ୍ୱାଧୀନତା କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ଚାକିରି ହରାଇବା ଅପେକ୍ଷା ବଡ଼। ଆଇନକୁ ଅବମାନନା କରିବା, ସମ୍ବିଧାନକୁ ଅବମାନନା କରିବା ଏବଂ ଜାତୀୟ ମର୍ଯ୍ୟାଦା, ସ୍ୱାଧୀନତା ଏବଂ ସାର୍ବଭୌମତ୍ୱକୁ ଅସମ୍ମାନ କରିବା କିପରି ଗ୍ରହଣୀୟ ହୋଇପାରିବ,” ସେ କହିଛନ୍ତି।

ସୂଚନାଯୋଗ୍ୟ, ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ନୋଟିସ ଅନୁଯାୟୀ, ସୋସିଆଲ ମିଡ଼ିଆ କମ୍ପାନୀଗୁଡ଼ିକୁ ପଞ୍ଜିକରଣ କରିବା ପାଇଁ ଅଗଷ୍ଟ ୨୮ ରୁ ସାତ ଦିନ ସମୟ ଦିଆଯାଇଥିଲା। ତଥାପି, ବୁଧବାର ରାତିରେ ସମୟସୀମା ଶେଷ ହେବା ପରେ ମଧ୍ୟ, ମେଟା (ଫେସବୁକ୍, ଇନଷ୍ଟାଗ୍ରାମ୍, ହ୍ୱାଟ୍ସଆପ୍), ଆଲଫାବେଟ୍ (ୟୁଟ୍ୟୁବ୍), ଏକ୍ସ (ପୂର୍ବରୁ ଟ୍ୱିଟର୍), ରେଡିଟ୍ ଏବଂ ଲିଙ୍କଡଇନ୍ ସମେତ କୌଣସି ପ୍ରମୁଖ ପ୍ଲାଟଫର୍ମ ପଞ୍ଜିକୃତ କରିନଥିଲେ। ଯେଉଁଥିପାଇଁ ଅଣପଞ୍ଜୀକୃତ ୨୬ଟି ସୋସିଆଲ ମିଡ଼ିଆ ଆପକୁ ବ୍ୟାନ କରିଥିଲେ ସରକାର। ଯାହାକୁ ତୀବ୍ର ବିରୋଧର କରିଛନ୍ତି ଯୁବ ବର୍ଗ।