କରାଚୀ, ୧୬/୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥିତ ମଧ୍ୟସ୍ଥତା ସମ୍ପର୍କରେ ପାକିସ୍ତାନ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବରେ ଆଲୋଚନା କରିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ କହିଛନ୍ତି ଯେ, ଅପରେସନ ସିନ୍ଦୁର ସମୟରେ ଯୁଦ୍ଧବିରତି ପ୍ରସ୍ତାବ ଆମେରିକାରୁ ଆସିଥିଲା। କିନ୍ତୁ ଭାରତ ଏହାକୁ ଗ୍ରହଣ କରିନାହିଁ।
ଡାର କହିଛନ୍ତି ଯେ ପାକିସ୍ତାନ ଅନେକ ଥର ଭାରତ ସହିତ ଆଲୋଚନା ଆରମ୍ଭ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତ କେବେବି କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ସ୍ୱୀକାର କରିନାହିଁ। ଯେତେବେଳେ ପାକିସ୍ତାନ ଏ ବିଷୟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ କଥା ହୋଇଥିଲା, ରୁବିଓ ସ୍ପଷ୍ଟ ଭାବରେ କହିଥିଲେ ଯେ ଭାରତ ଏହାକୁ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ବିଚାର କରେ ଏବଂ କୌଣସି ବାହ୍ୟ ହସ୍ତକ୍ଷେପ ଗ୍ରହଣ କରେ ନାହିଁ।
ଡାର କହିଛନ୍ତି ଯେ ପାକିସ୍ତାନର ତୃତୀୟ ପକ୍ଷ ମଧ୍ୟସ୍ଥତାରେ କୌଣସି ସମସ୍ୟା ନାହିଁ, କିନ୍ତୁ ଭାରତ ଏହାକୁ ସର୍ବଦା ସିଧାସଳଖ ପ୍ରତ୍ୟାଖ୍ୟାନ କରିଆସିଛି। ସେ କହିଛନ୍ତି ଯେ ଆମେ କୌଣସି ଦେଶର ଅଂଶଗ୍ରହଣରେ ସଂକୋଚ କରୁନାହୁଁ, କିନ୍ତୁ ଭାରତର ଦୃଷ୍ଟିକୋଣ ସର୍ବଦା ରହିଛି ଯେ ଏହା ଏକ ଦ୍ୱିପାକ୍ଷିକ ମାମଲା।
ପାକିସ୍ତାନ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନାକୁ ବିରୋଧ କରେ ନାହିଁ, କିନ୍ତୁ ଏହି ଆଲୋଚନା କେବଳ ଗୋଟିଏ ପ୍ରସଙ୍ଗରେ ସୀମିତ ହେବା ଉଚିତ୍ ନୁହେଁ, ବରଂ ଆତଙ୍କବାଦ, ବାଣିଜ୍ୟ, ଅର୍ଥନୀତି ଏବଂ ଜମ୍ମୁ-କାଶ୍ମୀର ସମେତ ସମସ୍ତ ବିଚାରାଧୀନ ପ୍ରସଙ୍ଗ ଉପରେ ଖୋଲା ଆଲୋଚନା ହେବା ଉଚିତ।