ରେଡ୍ ଫ୍ଲାଗ୍ ହେଲା ଶୁଭମିତ୍ରା ମର୍ଡର୍ କେସ୍

କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ

ଭୁବନେଶ୍ୱର, ୧୯/୯: ଲେଡି କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମର୍ଡର୍ କେସରେ ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତଙ୍କ ପାଇଁ ବଢିଲା ଅଡୁଆ। ଶୁଭମିତ୍ରା ସାହୁ ହତ୍ୟାକାଣ୍ଡ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହୋଇଛି। ପ୍ରଥମ ସ୍ତ୍ରୀର ମୃତ୍ୟୁ ଓ ଶୁଭମିତ୍ରା ମର୍ଡର କେସ୍ ରେଡ୍ ଫ୍ଲାଗ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ। କମିଶନରେଟ୍ ପୋଲିସକୁ ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଞ୍ଚ। CAW ଆଣ୍ଡ CW ଦୁଇଟି ଯାକ କେସକୁ ମନିଟର୍ କରିବ। କ୍ୟାପିଟାଲ୍ ଓ ଖୁଣ୍ଟୁଣୀ ପୋଲିସ୍ ତଥ୍ୟ ଆଧାରରେ ହେବ ଖୋଳତାଡ଼।

ସୂଚନାଯୋଗ୍ୟ, ଗତ ୬ ତାରିଖରେ କନଷ୍ଟେବଳ ଶୁଭମିତ୍ରାଙ୍କ ନିଖୋଜ ଖବର ନେଇ ତାଙ୍କ ବାପା କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ଏହା ପରେ ତାଙ୍କ ଅଭିଯୋଗ ଆଧାରରେ ତଦନ୍ତ କରାଯିବା ପରେ ଶୁଭମିତ୍ରାଙ୍କ ହତ୍ୟା କରା ଯାଇଥିବା ଜଣା ପଡ଼ିଥିଲା। ଏଥିରେ ସମ୍ପୃକ୍ତ ଥିଲେ ସିପି ଅଫିସରେ କାର୍ଯ୍ୟରତ କନଷ୍ଟେବଳ ଦୀପକ ରାଉତ। ୧୭ ତାରିଖରେ କେନ୍ଦୁଝରରେ ଶୁଭମିତ୍ରାଙ୍କ ଗଳିତ ମୃତଦେହ ମିଳିଥିଲା। ଶୁଭମିତ୍ରାଙ୍କ ହତ୍ୟା କରିଥିବା ସ୍ୱୀକାର କରିଥିଲେ ଦୀପକ। ସେପଟେ ଦୀପକ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଦୀପକ ଦର୍ଶାଇଥିଲେ ଏବେ ତାଙ୍କ ପ୍ରଥମ ସ୍ତ୍ରୀ ଅପର୍ଣ୍ଣାଙ୍କ ମୃତ୍ୟୁ ମଧ୍ୟ ସନ୍ଦେହ ଘେରରେ ଅଛି। ଏହି ସନ୍ଦେହଜନକ ମୃତ୍ୟୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ହେବ।