ଭୁବନେଶ୍ୱର, ୨୨/୯: ବିଧାନସଭାର ମୌସୁମୀ ଅଧିବେଶନର ତୃତୀୟ ଦିନରେ ମଧ୍ୟ ସୁରୁଖୁରୁରେ ଚାଲି ପାରିନାହିଁ ଗୃହ। ପ୍ରଶ୍ନକାଳ ଆରମ୍ଭରୁ ହିଁ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା ମଧ୍ୟରେ ମାତ୍ର ୭ ମିନିଟ ଚାଲିଛି ଗୃହ। ବିରୋଧୀ ସଦସ୍ୟ ପ୍ଲାକାର୍ଡ ଓ ପୋଷ୍ଟର ଧରି ନାରାବାଜି କରିଥିଲେ। ତେଣୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୂଲତବି ରଖିଛନ୍ତି।
ବିଜେଡି ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ନାରାବାଜି କରିଥିବା ବେଳେ କଂଗ୍ରେସ ସଦସ୍ୟ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲା ବିଜେଡ଼ି।
ସେପଟେ କଂଗ୍ରେସ ସଦସ୍ୟ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଆଲୋଚନା ହୋଇ ନଥିବାରୁ ଅନାସ୍ଥା ପ୍ରସ୍ତାବ ଗୃହୀତ ହୋଇ ପାରୁନାହିଁ। ତେଣୁ କଂଗ୍ରେସ ଉଭୟ ବିଜେଡ଼ି ଓ ବିଜେପି ଉପରେ ଟାର୍ଗେଟ କରିଛି। ବିଜେପି – ବିଜେଡି ଭାଇ ଭାଇ, ଅନାସ୍ଥା ଆଣନ୍ତି ନାହିଁ ବୋଲି କହିଛି କଂଗ୍ରେସ।