ବଳଙ୍ଗା ପୀଡ଼ିତା ନିଜେ ପୋଡ଼ି ହୋଇଥିଲେ

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି

ଭୁବନେଶ୍ୱର, ୨୨/୯: ପୁରୀ ବଳଙ୍ଗା ପୀଡ଼ିତା ନିଜେ ନିଜ ଉପରେ କିରାସିନି ଢ଼ାଳି ନିଆଁ ଲଗାଇଥିଲେ। ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭା ପ୍ରଶ୍ନକାଳ ସମୟରେ ବିଜେଡ଼ି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବଳଙ୍ଗା ଘଟଣାରେ ଝିଅଟି ନିଜକୁ ନିଜେ ନିଆଁ ଲଗାଇ ଦେଇଥିଲେ। ସେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ଏବଂ କେହି ତାଙ୍କୁ ଜାଳି ଦେଇନାହାଁନ୍ତି। ପୀଡିତା ୧୪ ଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ରହିବା ପରେ ଅଗଷ୍ଟ ୨ ତାରିଖରେ ମୃତ୍ୟୁବରଣ କରିଥିଲେ। ଦିଲ୍ଲୀ ଏମ୍ସରେ ଚିକିତ୍ସା ବେଳେ ମୃତ୍ୟୁକାଳୀନ ଜମାନବନ୍ଦୀରେ ପୀଡ଼ିତା ଏହା କହିଥିଲେ। ଦିଲ୍ଲୀ କୋର୍ଟ ଓ ଏମ୍ସ ଡାକ୍ତରଙ୍କ ଦ୍ବାରା ବୟାନ ରେକର୍ଡ କରାଯାଇଥିଲା। ସମସ୍ତ ତଥ୍ୟ ଏବଂ ପ୍ରମାଣକୁ ଆଧାର କରି ତଦନ୍ତ ଶେଷ ହେବା ପରେ, ସେପ୍ଟେମ୍ବର ୧୭ ତାରିଖରେ ବଳଙ୍ଗା ଥାନା ଦ୍ୱାରା କୋର୍ଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯାଇଥିଲା।