ଭୁବନେଶ୍ୱର, ୨୨/୯: ଭିଜିଲାନ୍ସ ଗତ ୧୫ ମାସ ମଧ୍ୟରେ ୧୯୯ ଜଣ ସରକାରୀ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି। ବିଜେପି ବିଧାୟକ ଟଙ୍କଧର ତ୍ରିପାଠିଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୁନ୍ ୨୦୨୪ ରୁ ସେପ୍ଟେମ୍ବର ୧୫, ୨୦୨୫ ମଧ୍ୟରେ ଆୟ ବର୍ହିଭୂତ ସମ୍ପତ୍ତି ସହିତ ଜଡିତ ୭୭ ଟି ଏବଂ ୧୨୨ ଟି ଲାଞ୍ଚ ମାମଲାରେ ୧୯୯ ସରକାରୀ ଅଧିକାରୀଙ୍କୁ ଗିରଫ କରାଗଲାଣି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୨୦୨.୫୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଲାଞ୍ଚ ନେଇ ଧରାପଡ଼ିଥିବା ଅଧିକାରୀଙ୍କଠାରୁ ୩୩.୬୩ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି।
ଭିଜିଲାନ୍ସ ୭୭ ଜଣ ସରକାରୀ ଅଧିକାରୀଙ୍କ ବାସଭବନରେ ଚଢାଉ କରିଛି। ଏହି ତଲାସ ସମୟରେ ବିପୁଳ ପରିମାଣର ସମ୍ପତ୍ତି ଜବତ କରାଯାଇଛି। ଯେଉଁଥିରେ ୮.୩୮ କୋଟି ଟଙ୍କା ନଗଦ, ୨୧୮ ଫ୍ଲାଟ୍, ୭୭୫ ପ୍ଲଟ୍, ୧୬ଟି ସୁନା ବିସ୍କୁଟ ସହିତ ୨୫.୫୫୩ କିଲୋଗ୍ରାମ ସୁନା ଅଳଙ୍କାର, ୧୩ଟି ଫାର୍ମ ହାଉସ୍, ୪୪.୨୧ କୋଟି ଟଙ୍କା ବ୍ୟାଙ୍କ ଜମା ଏବଂ ୪୩.୦୨ କୋଟି ଟଙ୍କା ବୀମା ଜମା ମିଳିଛି।
ଏହା ବ୍ୟତୀତ ୭୮୫ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରାଯାଇଛି ଏବଂ ୧୭୦ ଜଣ ଅଭିଯୁକ୍ତ ଅଧିକାରୀଙ୍କୁ ଭିଜିଲାନ୍ସ କୋର୍ଟ ଦଣ୍ଡ ବିଧାନ ଶୁଣାଇଛନ୍ତି। ୫ ବର୍ଷରେ ୩୬୬୧ଟି ଦୁର୍ନୀତି ନିବାରଣ ମାମଲା କୋର୍ଟରେ ବିଚାରାଧୀନ ରହିଛି।