ଲେହ, ୨୬/୯: ଲେହରେ ଦେଖା ଦେଇଥିବା ଆନ୍ଦୋଳନରେ ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ ଗିରଫ ହୋଇଛନ୍ତି। ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଲେହରେ ଆନ୍ଦୋଳନ ହିଂସାତ୍ମକ ରୂପ ନେବା ପରେ ଚାରି ଜଣଙ୍କର ମୃତ୍ୟୁ ହେବା ସହ ୯୦ ଜଣ ଆହତ ହୋଇଥିଲେ। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ ରାଜ୍ୟ ମାନ୍ୟତା ଦାବି କରୁଥିବା ପ୍ରଦର୍ଶନକାରୀଙ୍କୁ ଉସୁକାଇବା ଅଭିଯୋଗରେ ଶୁକ୍ରବାର ଦିନ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଜାତୀୟ ସୁରକ୍ଷା ଆଇନ (NSA) ଅନୁଯାୟୀ ଗିରଫ କରାଯାଇଛି।
ୱାଙ୍ଗଚୁକଙ୍କୁ ଲେହ ବିମାନବନ୍ଦରକୁ ନିଆଯାଇଛି ଏବଂ ତାଙ୍କୁ ଲଦାଖରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ଚାଲିଛି।
ବୁଧବାର ଦିନ ସଂଘର୍ଷ ପରେ ଲେହରେ କର୍ଫ୍ୟୁ ଜାରି କରାଯାଇଥିଲା। ୱାଙ୍ଗଚୁକ୍ ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ।
ସରକାର ଲଦାଖରେ ଅଶାନ୍ତି ପାଇଁ ୱାଙ୍ଗଚୁକଙ୍କୁ ଦାୟୀ କରିଥିଲେ। ତାଙ୍କ “ଉତ୍ତେଜକ ବକ୍ତବ୍ୟ” ଏବଂ ଆନ୍ଦୋଳନ ପାଇଁ ପ୍ରେରିତ କରିବା ଭଳି ଅଭିଯୋଗ ରହିଥିଲା।
ସେପ୍ଟେମ୍ବର ୨୪ ତାରିଖରେ ବୁଧବାର ଦିନ ଲେହରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଏଥିରେ ଚାରି ଜଣ ପ୍ରାଣ ହରାଇଥିଲେ ଏବଂ ୯୦ ଜଣ ଆହତ ହୋଇଥିଲେ। ହିଂସାତ୍ମକ ସଂଘର୍ଷ ପରେ, ଲେହରେ କର୍ଫ୍ୟୁ ଜାରି କରାଯାଇଥିଲା। ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ କଡ଼ାକଡ଼ି ଭାବରେ କର୍ଫ୍ୟୁ ଲାଗୁ କରିଥିଲେ। ଏପର୍ଯ୍ୟନ୍ତ ୫୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି।
ଲେହ ଜିଲ୍ଲା ମାଜିଷ୍ଟ୍ରେଟ୍ ଦୁଇ ଦିନ ପାଇଁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ, କଲେଜ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଲେହ ଏବଂ କାରଗିଲ ସମେତ ଅନ୍ୟାନ୍ୟ ସହରରେ ଧାରା ୧୪୪ ଜାରି କରାଯାଇଛି।
ଗୃହ ମନ୍ତ୍ରଣାଳୟ କହିଛି ଯେ ସେପ୍ଟେମ୍ବର ୨୪ ତାରିଖ ସକାଳ ୧୧.୩୦ ରେ ୱାଙ୍ଗଚୁକ୍ ଙ୍କ ଭାଷଣ ପରେ, ପ୍ରତିବାଦକାରୀ ତାଙ୍କ ଅନଶନ ସ୍ଥଳ ଛାଡି ଲେହରେ ବିଜେପି କାର୍ଯ୍ୟାଳୟ ଏବଂ ସିଇସି କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲା। ନେପାଳର ଜେନ-ଜି ଆନ୍ଦୋଳନରୁ ପ୍ରେରିତ ହୋଇ ଲେହରେ ଆନ୍ଦୋଳନ କରାଯାଇଥିଲା।
ଲଦାଖ ପାଇଁ ସାମ୍ବିଧାନିକ ଗ୍ୟାରେଣ୍ଟି, ଅଧିକ ସ୍ୱାୟତ୍ତତା, ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁସୂଚୀ ମାନ୍ୟତା ଦାବି କରି ସୋନମ ୱାଙ୍ଗଚୁକ୍ ସେପ୍ଟେମ୍ବର ୧୦ ତାରିଖରେ ଅନଶନ ଆରମ୍ଭ କରିଥିଲେ। ହିଂସା ବୃଦ୍ଧି ପାଇବା ପରେ ସେ ବୁଧବାର ତାଙ୍କର ଦୁଇ ସପ୍ତାହ ଧରି ଚାଲିଥିବା ଅନଶନ ଶେଷ କରିଥିଲେ।