୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ କଫ୍ ସିରପ ମନା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
୧୫ ଦିନରେ ଗଲାଣି ୧୧ ଶିଶୁଙ୍କ ଜୀବନ
ନୂଆଦିଲ୍ଲୀ, ୩/୧୦: ୨ ବର୍ଷ ବୟସରୁ କମ୍ ବୟସର ଶିଶୁଙ୍କୁ କଫ୍ ସିରପ ଦେବାକୁ ବାରଣ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଫ ସିରପ ଖାଇବା ପରେ ୧୧ ଜଣ ଶିଶୁଙ୍କ ମୃତ୍ୟୁ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (DGHS) ପକ୍ଷରୁ ଛୋଟ ପିଲାମାନଙ୍କୁ କଫ ସିରପ୍ ନ ଦେବା ପାଇଁ ଏକ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏକ ଆଡଭାଇଜରି ଜାରି କରିଛି।
କିଡନୀ ଫେଲ୍ୟୁଅର ଯୋଗୁଁ ମାତ୍ର ଏକ ପନ୍ଦର ଦିନ ମଧ୍ୟରେ ନଅ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ସ୍ୱାସ୍ଥ୍ୟ ଅଧିକାରୀମାନେ ଯାଞ୍ଚ କରିବା ପରେ ଜାଣିବାକୁ ପାଇଛନ୍ତି ଯେ, ଶିଶୁମାନେ କଫ ସିରପ ଖାଇବା ପରେ ହିଁ ସେମାନଙ୍କର ଅଙ୍ଗ ଅଚଳ ହେବା ଯୋଗୁଁ ମୃତ୍ୟୁ ହୋଇଥିଲା।
ସିକରର ଏକ ସରକାରୀ ହସ୍ପିଟାଲ ଦ୍ୱାରା ଯୋଗାଇ ଦିଆଯାଇଥିବା କଫ ସିରପ୍ ଖାଇବା ପରେ ଦୁଇ ଶିଶୁଙ୍କ ମୃତ୍ୟୁ ହେବା ଅଭିଯୋଗରେ ରାଜସ୍ଥାନ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମଧ୍ୟପ୍ରଦେଶ ଔଷଧ ବିଭାଗ ଜବଲପୁରର କଟାରିଆ ଔଷଧ ବିତରକଙ୍କ ଉପରେ ଚଢାଉ କରିଛି। କଫ ସିରପ୍ ଯୋଗୁଁ ୧୫ ଦିନରେ ୯ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପରେ ଏହି ଚଢାଉ କରାଯାଇଛି।
ଅଧିକାରୀଙ୍କ ଅନୁଯାୟୀ, ଡେକ୍ସଟ୍ରୋମେଥୋରଫାନ୍ ହାଇଡ୍ରୋବ୍ରୋମାଇଡ୍ ସିରପ୍ IP ୧୩.୫ ମିଗ୍ରା/୫ ମିଲି ସେବନ ପରେ ଶିଶୁଙ୍କ ମୃତ୍ୟୁ ରିପୋର୍ଟ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛି।
ମଧ୍ୟପ୍ରଦେଶରେ ମୃତ୍ୟୁବରଣ କରିଥିବା ନଅ ଜଣ ପିଲାଙ୍କ ମଧ୍ୟରୁ ପାଞ୍ଚ ଜଣ କୋଲଡରେଫ୍ ଖାଇଥିଲେ ଏବଂ ଜଣେ ନେକ୍ସଟ୍ରୋ ସିରପ୍ ନେଇଥିଲେ।
ତଥାପି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କଫ ସିରପ ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଜଣା ପଡ଼ିନାହିଁ। ସିରପ୍ରେ ଡାଏଥିଲିନ୍ ଗ୍ଲାଇକଲ୍ (DEG) କିମ୍ବା ଇଥିଲିନ୍ ଗ୍ଲାଇକଲ୍ (EG) ନାହିଁ – ଯାହା ବୃକକ୍ ଗୁରୁତର ଭାବେ କ୍ଷତି ହୋଇଥାଏ।