କଟକ, ୬/୧୦: ଦୁର୍ଗା ପୂଜା ବିସର୍ଜନ ସମୟରେ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଗିରଫ କରିବା ପ୍ରକ୍ରିୟା ଜାରି ରହିଛି। ଏପର୍ଯ୍ୟନ୍ତ ଅଶାନ୍ତି ସୃଷ୍ଟି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି। ଅଶାନ୍ତି ସୃଷ୍ଟି, ଭଙ୍ଗାରୁଜା, ପୋଲିସକୁ ଆକ୍ରମଣ ଘଟଣାରେ ଗିରଫ ହୋଇଛନ୍ତି ବୋଲି ଟ୍ୱିନ୍ ସିଟି ପୋଲିସ କମିଶନର ଏସ. ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି।
“ଆମେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛୁ। ସଂଘର୍ଷ ସଂକ୍ରାନ୍ତରେ ତିନୋଟି ମାମଲା ରୁଜୁ କରାଯାଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ, କଟକର ପ୍ରମୁଖ ଅଞ୍ଚଳଗୁଡ଼ିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିଶୃଙ୍ଖଳାରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି,” ସେ ଆହୁରି କହିଛନ୍ତି। ଏହି ସମୟରେ ଦେବଦତ୍ତ ସିଂହ ଜନସାଧାରଣଙ୍କୁ ଗୁଜବରେ ବିଶ୍ୱାସ କରିବା କିମ୍ବା ପ୍ରଚାର କରିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି, ଯାହା ପରିସ୍ଥିତିକୁ ଆହୁରି ଖରାପ କରିପାରେ।”
ସେହିପରି ଏହି ଘଟଣାରେ ଓଡ଼ିଶା ପୋଲିସ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। “ସୋସିଆଲ ମିଡିଆରେ ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତା ଯାଞ୍ଚ କରନ୍ତୁ। ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ କରିବାରୁ ବିରତ ରହନ୍ତୁ। ମିଥ୍ୟା କିମ୍ବା ଭ୍ରାନ୍ତି ସୂଚନା ପ୍ରଚାର ଓ ପ୍ରସାର କଲେ, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। କିଛି ବ୍ୟକ୍ତି ବିଶେଷ ମିଥ୍ୟା ଖବର ପ୍ରସ୍ତୁତ ଓ ପ୍ରଚାର କରି ଅଶାନ୍ତି କରୁଛନ୍ତି। ମିଛ ଭିଡିଓ କିମ୍ବା ସୋସିଆଲ ମିଡିଆ ପୋଷ୍ଟ ଉପରେ ବିଶ୍ୱାସ କରନ୍ତୁ ନାହିଁ।”