କଟକରେ ଶାନ୍ତି ବଜାୟ ରଖିବାକୁ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅପିଲ୍
‘ଅଭିଯୁକ୍ତଙ୍କ ବିରୋଧରେ କଠୋର ଶାସ୍ତି ବିଧାନ ହେବ’
କଟକ, ୬/୧୦: କଟକ ହିଂସାକାଣ୍ଡ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ଯେ ହିଂସାକାଣ୍ଡ ପରେ କଟକର ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ତଥାପି, ମନ୍ତ୍ରୀ ସହରରେ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।
ଗଣମାଧ୍ୟମରେ ଆଇନ ମନ୍ତ୍ରୀ କହିଛନ୍ତି, “ମୁଁ ଆପଣମାନଙ୍କୁ କଟକ ସହରର ସମ୍ମାନରେ ଆଞ୍ଚ ନ ଆସୁ ଓ ମର୍ଯ୍ୟାଦା ବଜାୟ ରଖିବାକୁ ଅନୁରୋଧ କରୁଛି। ସାମ୍ପ୍ରତିକ ଅଶାନ୍ତି ପରେ କଟକର ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ପରିସ୍ଥିତିର ସମାଧାନ ପାଇଁ ପୋଲିସ ଆବଶ୍ୟକ ପଦକ୍ଷେପ ନେଉଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଶାନ୍ତି ପାଇଁ ନିବେଦନ କରିଛନ୍ତି। ଆମେ ସମସ୍ତଙ୍କୁ ଓଡ଼ିଶା କିମ୍ବା କଟକର ପ୍ରତିଛବି ନଷ୍ଟ କରିପାରୁଥିବା ଯେକୌଣସି କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ଅନୁରୋଧ କରୁଛୁ। ଯଥାଯୋଗ୍ୟ ପଦକ୍ଷେପ ନେବା କଥା ପୋଲିସ ପ୍ରଶାସନ ନେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଠୋର ଶାସ୍ତି ବିଧାନ ହେବ।”
ସୂଚନାଯୋଗ୍ୟ, ଅକ୍ଟୋବର ୩ ତାରିଖରେ ଦୁର୍ଗା ପୂଜା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ପୃଥକ ଭାବେ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଏକାଧିକ ଗୁରୁତର ହୋଇଥିବା ବେଳେ କଟକ ଡିସିପି ଋଷିକେଶ ଖିଲାରୀ ମଧ୍ୟ ଆହାତ ହୋଇଥିଲେ। ଏପର୍ଯ୍ୟନ୍ତ ଏହି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି।