ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ

ଭୁବନେଶ୍ଵର, ୬/୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ନଭେମ୍ବର ୧୧ରେ ଭୋଟିଂ ଏବଂ ନଭେମ୍ବର ୧୪ରେ ହେବ ଭୋଟ୍ ଗଣତି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର।

ଏ ନେଇ ଆସନ୍ତା ୧୩ରେ ନୂଆପଡ଼ା ଉପନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି।

ନୂଆପଡା ବିଧାନସଭା ଉପନିର୍ବାଚନ ଓ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ଘୋଷଣା ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ସନ୍ଥ ଗୋପାଳନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଉପରୋକ୍ତ ସମସ୍ତ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ସାହୁ, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ନୂଆପଡ଼ାରେ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୪୮ ହଜାର ଥିବା ବେଳେ ପୋଲିଂ ଷ୍ଟେସନ ସଂଖ୍ୟା ୩୫୮, ନୂଆ ପୋଲିଂ ଷ୍ଟେସନ ୫୬ ରହିଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ନାମ ଯୋଡ଼ି ପାରିବେ ଭୋଟର। ନୂଆପଡ଼ାର ସବୁ ବୁଥ୍‌ରେ ୱେବକାଷ୍ଟିଂ ହେବ ବୋଲି ସିଇଓ କହିଛନ୍ତି।