ବରଗଡ଼ ୬/୧୦ (ଦର୍ଶନ): ବେଆଇନ କଫ ସିରଫ ଚୋରା ଚାଲାଣ ନେଇ ବରଗଡ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ବେଳେ ୧୫ ଅଭିଯୁକ୍ତଙ୍କୁ ଗିରଫ କରିଛି ବରଗଡ଼ ପୋଲିସ । ତାଙ୍କ ଠାରୁ ୧୫୦୦ କଫ ସିରଫ ଜବତ କରିବା ସହ ପାଂଚଟି ଦେଶୀ ବନ୍ଧୁକ, ୨୦ଟି ଜୀବନ୍ତ ଗୁଳି, ୩ ଟି ଅଫୁଟା ଗୁଳି,୧୬ ଟି ମୋବାଇଲ, ପାଂଚଟି ଚାରିଚକିଆ ଯାନ ସହ ନଗଦ ୫୭ ହଜାର ୨୦୦ ଟଙ୍କା ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ପଡୋଶୀ ଛତିଶଗଡ଼ ରାଜ୍ୟର ହୋଇଥିବା ବେଳେ ବରଗଡ ଜିଲ୍ଲାର ୮ ଜଣ, କଟକର ଜଣେ, ବଲାଙ୍ଗିରର ଜଣେ, ଭଦ୍ରକର ଜଣେ, ଜଗତସିଂପୁରର ଜଣେ ଅଭିଯୁକ୍ତ ରହିଛନ୍ତି । ଏହି ଅଭିଯୁକ୍ତମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ପଡୋଶୀ ଛତିଶଗଡ଼କୁ ମଧ୍ୟ କଫ ସିରଫ ଚୋରା ଚାଲାଣ କରି ଆସୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଆଗକୁ ମଧ୍ୟ ଏପରି ଚଢାଉ ଜାରି ରହିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ ଏସପି ପ୍ରହଲ୍ଲାଦ ସହାଇ ମୀନା ।
ପୁଲିସକୁ ମିଳିଥିବା ସ୍ୱତନ୍ତ୍ର ସୂଚନା ଆଧାରରେ ଟାଉନଥାନା ପୁଲିସ ଗଣପତି ହୋଟେଲ ପଛପଟ ରେଳଲାଇନ ପାଶ୍ୱର୍ସ୍ଥ ପଡିଆରେ ଚଢ଼ାଉ କରି ତିନିଜଣ କଫସିରଫ ବ୍ୟବସାୟୀଙ୍କୁ ଗିରଫ କରିଥିଲେ । ଗିରଫ ଛତିଶଗଡର ତିନି ଅଭିଯୁକ୍ତଙ୍କଠାରୁ ପୁଲିସ ଗୋଟେ ଦେଶୀ ବନ୍ଧୁକ, ନିଶା ଇଞ୍ଜେକ୍ସନ ସମେତ ବିପୁଳ ମାତ୍ରାରେ କଫସିରଫ ଜବତ କରିବାରେ ସମର୍ଥ ହୋଇଥିଲା । ତାଙ୍କର ବରଗଡ଼ ଲିଙ୍କ ନେଇ ପଚରାଉଚୁରା କରିବା ପରେ ବିରାଟବଡ଼ ର୍ୟାକେଟ ସାମନାକୁ ଆସିଥିଲା । ତାଙ୍କର ସୂଚନା ଆଧାରରେ ସଦରଥାନା ପୁଲିସ ୬ଜଣଙ୍କୁ କାବୁ କରି ତାଙ୍କଠୁ ଗୋଟେ ପିସ୍ତଲ, ୪ଟି ଜୀବନ୍ତ ଗୁଳି ଓ ୩୦୦ ଏସକଫ ବୋତଲ ସହ ଦୁଇଟି ଗାଡି ଜବତ କରିଥିବା ବେଳେ ଅତାବିରା ଥାନା ଅଂଚଳରୁ ୪ ଜଣଙ୍କୁ ଧରା ହୋଇଯାଇଥିଲା । ସେମାନଙ୍କ ବୟାନ ଆଧାରରେ ପୁଲିସ ବିଜେପୁର ଥାନା ଅଂଚଳରେ ମଧ୍ୟ ଚଢ଼ାଉ କରି ଗୋଟେ ଗାଡି ଭର୍ତ୍ତି କଫସିରଫ ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଦେଶୀ ବନ୍ଧୁକ ସହିତ ପୁଲିସ ଗିରଫ କରିବାରେ ସମର୍ଥ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ରାଜୀବ ନଗରର ବାବୁଲୁ ବେହେରା(୩୨), ବରଗଡ଼ ଅତାବିରା ହଲଦୀଟିକ୍ରାର ପ୍ରଫୁଲ୍ଲ ରଣା(୩୦), ଅତାବିରା ସଦପାଲିର ତୁଷାର ରାଉତିଆ(୩୧), ବରଗଡ଼ ଡାଙ୍ଗର ବାବୁଲୁ ଶତପଥି(୩୭), ଅତାବିରା କୁଲୁଣ୍ଡାର ହରିପ୍ରସାଦ ସେଠ(୨୬), ବରଗଡ଼ ବରମଚାରୀର ଅଙ୍କୁଶ ବଳ(୩୦), ଛତିଶଗଡ ରାୟପୁର ତେଲିବନ୍ଧର ହରଦୀପ ସିଂ ସାନ୍ଧୁ(୨୮), ରାୟପୁର ତେଲିବନ୍ଧର ଏମଡ଼ି.ଅସରଫ(୨୬), ରାୟପୁର ତେଲିବନ୍ଧର ମୂଳବାସିନ୍ଦା ଏବଂ ବର୍ତ୍ତମାନର ପାଇକମାଳ ମୁରସିଂହର ସୟଦ ଅଜିମ(୩୧), ଯାଜପୁର ଗୋଡିପୋଖରୀର ରସିଦ ସାହା(୩୦), ଜଗତସିଂପୁର ଧନୁଆର ସମ୍ବିତ କୁମାର ପରିଜା(୨୫), କଟକ କାହାଳର ପ୍ରିତମ ବିଶ୍ୱାଳ(୩୦), ବରଗଡ଼ ଭଟଲିଛକର ଶ୍ରୀକାନ୍ତ ବେହେରା(୨୯), ବରଗଡ଼ ଏକାମ୍ରଛକର କାଲୁ ଅଗ୍ରୱାଲ ଓରଫ ମନୀଷ(୩୦) ଓ ବରଗଡ଼ ତେଲେନଟିକ୍ରାର ପିଂଟୁ ସାହୁ(୨୪) । ଏମାନଙ୍କ ବିରୋଧରେ ପୁଲିସ ଚାରୋଟି ଥାନାରେ ମାମଲା ରୁଜୁ କରି ଏନଡ଼ିପିଏସ, ଆର୍ମସ ଆକ୍ଟ ସମେତ ବିଭିନ୍ନ ଅପରାଧିକ ମାମଲା ରୁଜୁ କରି ସମସ୍ତଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ବେଳେ ଜାମୀନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଥିବା ପୁଲିସ ସୂଚନା ଦେଇଛି ।