ବ୍ରହ୍ମପୁର, ୭/୧୦: ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡା ମୃତ। ଗତ କାଲି ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଘରକୁ ଫେରିବା ବେଳେ ବ୍ରହ୍ମା ନଗର ସ୍ଥିତ ଘର ପାଖରେ ହିଁ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ। ଗୁଳିମାଡ଼ ସମୟରେ ପୀତବାସ ତାଙ୍କ ଚାମ୍ବରରୁ ଘରକୁ ଫେରୁଥିଲେ।
ଏକ ବାଇକରେ ହେଲମେଟ ପିନ୍ଧିଥିବା ଦୁଇ ଦୁର୍ବୃତ୍ତ ଗୁଳିମାଡ଼ କରି ତୁରନ୍ତ ସେହି ସ୍ଥାନରୁ ଫେରାର ହୋଇ ଯାଇଥିଲେ। ଏହା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଗୁରୁତର ଅବସ୍ଥାରେ ପୀତବାସଙ୍କୁ ଉଦ୍ଧାର କରାଯାଇ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସ ପହଞ୍ଚି ଘଟଣାସ୍ଥଳରେ ଛାନଭିନ କରୁଛି। ତେବେ କେଉଁ କାରଣ ପାଇଁ ପୀତବାସଙ୍କୁ ଗୁଳିମାଡ଼ ହୋଇଛି, ତାହା ଜଣା ପଡିନାହିଁ। ରାଜନୈତିକ ଆକ୍ରୋଶ କିମ୍ବା ପୂର୍ବ ଶତ୍ରୁତା ଯୋଗୁଁ ଗୁଳିମାଡ଼ ହୋଇଛି ତାହା ସ୍ପଷ୍ଟ ଜଣା ପଡିନାହିଁ। ପୋଲିସ ସ୍ଥାନୀୟ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ମାମଲାର ତଦନ୍ତ ପାଇଁ ୩ଟି ଟିମ୍ ଗଠନ କରିଛନ୍ତି ବ୍ରହ୍ମପୁର ଏସପି।
ପୀତବାସ ପଣ୍ଡା ଜଣେ ବରିଷ୍ଠ ଆଇନଜୀବୀ ମଧ୍ୟ ଥିଲେ। ରାଜ୍ୟ ଆଇନ୍ଜୀବୀ ପରିଷଦର ସଦସ୍ୟ ଥିଲେ। ସେ ପୂର୍ବରୁ କଂଗ୍ରେସରେ ଥିବା ବେଳେ ଗତ ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ।
ପୀତବାସଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଭୀର ଶୋକ ପ୍ରକାଶ କରିଛନ୍ତି। ମନମୋହନ କହିଛନ୍ତି, “ବ୍ରହ୍ମପୁରର ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କ ଉପରେ ଘଟିଥିବା ଗୁଳିମାଡ଼ ଘଟଣା ଏବଂ ତାଙ୍କ ଦୁଃଖଦ ମୃତ୍ୟୁ ବିଷୟରେ ଜାଣି ମୁଁ ଗଭୀର ଶୋକାହତ। ଆଜି ରାତ୍ରିରେ ବ୍ରହ୍ମନଗରରେ ବାଇକ ଆରୋହୀ ଦୁର୍ବୃତ୍ତମାନେ ଗୁଳି ଚଳାଇ ଏହି ଘୃଣ୍ୟ ଅପରାଧ କରିଛନ୍ତି। ଜଣେ ସମ୍ମାନିତ ଆଇନଜୀବୀ ଏବଂ ଦଳର ସକ୍ରିୟ କର୍ମୀଙ୍କ ଏପରି ନିର୍ମମ ହତ୍ୟା ସମ୍ପୂର୍ଣ୍ଣ ନିନ୍ଦନୀୟ। ଏହି ଦୁଃଖଦ ମୁହୂର୍ତ୍ତରେ ଭାରତୀୟ ଜନତା ପାର୍ଟି ପରିବାର ତଥା ମୁଁ ବ୍ୟକ୍ତିଗତ ଭାବେ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ପରିବାରବର୍ଗ, ସମ୍ପର୍କୀୟଙ୍କୁ ଗଭୀର ସମବେଦନା ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ଅମର ଆତ୍ମାକୁ ଶାନ୍ତି ଓ ସଦଗତି ପ୍ରଦାନ କରନ୍ତୁ, ଏହା ମୋର କାମନା।”