ବାଲେଶ୍ଵର, ୭/୧୦: ବାଲେଶ୍ୱରର ସିମୁଳିଆ ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରେ ଜାତୀୟ ରାଜପଥ ୧୬ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୁରୀରୁ ପଶ୍ଚିମବଙ୍ଗକୁ ୬୫ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ପଡ଼ିଥିଲା, ଯେଉଁଥିରେ ୩୦ ରୁ ଅଧିକ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ଭୋର ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ମିଳିଥିବା ସୂଚନା ଅନୁସାରେ, ଗାଡ଼ି ଚଲାଇବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିଲା। ତେଣୁ ନିୟନ୍ତ୍ରଣ ହରାଇ ବସ୍ ଟି ରାସ୍ତା କଡ଼ରେ ଥିବା ଡିଭାଇଡରରେ ଧକ୍କା ଦେଇଥିଲା।
ଆହତ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ପଶ୍ଚିମବଙ୍ଗର ମୋହନପୁର ଅଞ୍ଚଳର ବୋଲି ସୂଚନା ମିଳିଛି। ସେମାନେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିଲେ।
ସିମୁଳିଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସୋର ହସ୍ପିଟାଲରେ ଭର୍ତ୍ତି କରିଥିଲା। ଗୁରୁତର ତିନି ଜଣ ଯାତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଝରକା ଭାଙ୍ଗି ଯାତ୍ରୀମାନଙ୍କୁ ବସ୍ ରୁ ବାହାର କରାଯାଇଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇ ଯାଇଛନ୍ତି। ଘଟଣାର ତଦନ୍ତ ଚାଲିଛି।