ଚଳନ୍ତା ବସ୍ ଉପରେ ଖସିଲା ପାହାଡ଼ ଓ ମାଟି ଅତଡ଼ା

୧୮ ମୃତ, ଏକାଧିକ ନିଖୋଜ

ବିଳାସପୁର, ୮/୧୦: ମଙ୍ଗଳବାର ସନ୍ଧ୍ୟାରେ ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ବାର୍ଥୀ ଗାଁ ନିକଟରେ ଭୂସ୍ଖଳନ ଘଟି ଏକ ଚଳନ୍ତା ବସ୍ ଉପରେ ପାହାଡ଼ ଓ ମାଟି ଅତଡ଼ା ଖସି ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ନିଖୋଜ ଅଛନ୍ତି। ଏପର୍ଯ୍ୟନ୍ତ ଯାଏଁ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଜଣେ ଅଧିକାରୀ କହିଛନ୍ତି ଯେ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଭୂସ୍ଖଳନ ଘଟି ବସ୍ ଟି ୩୦ରୁ ୩୫ ଜଣ ଯାତ୍ରୀଙ୍କୁ ଘୁମାରୱିନ୍ ଯାଉଥିବା ବେଳେ ପାହାଡ଼ରୁ ଅଚାନକ ମାଟି ଓ ପଥର ଖଣ୍ଡ ଖସି ପଡ଼ିଥିଲା। ଯାହା ଫଳରେ ଯାତ୍ରୀମାନଙ୍କ ବସ୍ସି ଭିତରେ ହିଁ ମୃତ୍ୟୁ ହୋଇଥିଲା।

ବିଳାସପୁର ପ୍ରଶାସନ ତୁରନ୍ତ ଘଟଣାସ୍ଥଳକୁ ଏକ ଟିମ୍ ପଠାଇଥିଲା। ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ, ସ୍ଥାନୀୟ ଲୋକମାନେ ବହୁ ସଂଖ୍ୟାରେ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭଗ୍ନାବଶେଷ ଖୋଳିବା ଆରମ୍ଭ କରିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଚାରି ଜଣଙ୍କୁ ଉଦ୍ଧାର କରିଥିଲା, ସେମାନଙ୍କ ମଧ୍ୟରୁ ତିନି ଜଣ ଶିଶୁ ଥିଲେ। ସେମାନଙ୍କୁ ବାର୍ଥୀର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ରାତି ପର୍ଯ୍ୟନ୍ତ ମୃତକଙ୍କ ମଧ୍ୟରୁ କାହାରି ପରିଚୟ ମିଳିପାରି ନଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି। “ହିମାଚଳ ପ୍ରଦେଶର ବିଳାସପୁରରେ ଏକ ଦୁର୍ଘଟଣା ଯୋଗୁଁ ପ୍ରାଣହାନିରେ ମୁଁ ଦୁଃଖିତ। ଏହି ସମୟରେ ପ୍ରଭାବିତ ଲୋକ ଏବଂ ସେମାନଙ୍କ ପରିବାରକୁ ମୋର ସମବେଦନା ଜଣାଉଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି,” ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ବିବୃତ୍ତିରେ କୁହାଯାଇଛି।

ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଏଥିରେ କୁହାଯାଇଛି।

ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଜୁନ୍ ୨୦ ତାରିଖରେ ମୌସୁମୀ ଆସିବା ପରଠାରୁ ହିମାଚଳରେ ବର୍ଷା ସମ୍ବନ୍ଧୀୟ ଘଟଣାରେ ପ୍ରାୟ ୪୭୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ଗତ ଦୁଇ-ତିନି ଦିନ ଧରି ପ୍ରବଳ ବର୍ଷା ହେଉଛି ଏବଂ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି।