ସବୁ କଳ୍ପନାଜଳ୍ପନାର ଅନ୍ତ: ବିଜେପିରେ ଯୋଗ ଦେଲେ ଜୟ ଢୋଲକିଆ
ପୂର୍ବ ସରକାରରେ ରାଜୁ ଢୋଲକିଆ ଅସହାୟ ମନେ କରୁଥିଲେ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ଵର, ୧୧/୧୦: ବିଜେଡ଼ିକୁ ଶକ୍ତ ଝଟକା। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ପଦ୍ମରେ ଯୋଗ ଦେଲେ ଜୟ ଢୋଲକିଆ। ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ। ନିଜର ଶହ ଶହ ସମର୍ଥକଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି।
ବିଜେପିର ମିଶ୍ରଣ ପର୍ବରେ ଜୟ ଢୋଲକିଆଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପିରେ ଯୋଗ ଦେବା ଅବସରରେ ସ୍ୱାଗତ କରି କହିଛନ୍ତି, ପିତା ରାଜୁ ଢୋଲକିଆଙ୍କ ଅଧୂରା ସ୍ବପ୍ନକୁ ପୁଅ ଜୟ ପୁରଣ କରିବେ। ପୂର୍ବ ସରକାରରେ ରାଜୁ ଢୋଲକିଆ ଅସହାୟ ମନେ କରୁଥିଲେ। ଚାରି ଚାରି ଥର ବିଧାୟକ ଓ ମନ୍ତ୍ରୀ ଥିଲେ ବି ଅସହାୟ ମନେ କରୁଥିଲେ।୩ଟି ଟର୍ମରେ ମୁଁ ତାଙ୍କ ସହ ବିଧାନସଭାରେ ଏକାଠି କାମ କରିଥିଲି। ରାଜୁ ଢୋଲକିଆଙ୍କର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଥିଲେ, କିନ୍ତୁ କେହି ଶତ୍ରୁ ନ ଥିଲେ। ଆଜି ତାଙ୍କ ପୁଅ ଜୟ ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇଛନ୍ତି। ସବୁ ନେତୃବୃନ୍ଦଙ୍କ ସହମତିରେ ଜୟଙ୍କୁ ବିଜେପିରେ ସାମିଲ କରାଯାଇଛି। ନୂଆପଡ଼ାରେ ବିକାଶର ମଙ୍ଗ ଧରିବେ ବୋଲି ଆଶା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।