ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଘୋଷାଡି ନେଇ ଗଣଦୁଷ୍କର୍ମ: କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଶତାଧିକ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
ଦୁର୍ଗାପୁର ସ୍ଥିତ ମେଡିକାଲ୍ କଲେଜ ଭିତରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
ଓଡ଼ିଶା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୋଇ ସାରନ୍ତାଣି: ଛାତ୍ରୀଙ୍କ ବାପା
ଦୁର୍ଗାପୁର, ୧୧/୧୦: ପଶ୍ଚିମବଙ୍ଗରେ ପୁଣି ଏକ ଲୋମଟାଙ୍କୁରା କାଣ୍ଡ ସାମନାକୁ ଆସିଛି। ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଘୋଷାଡି଼ ନେଇ ଗଣଦୁଷ୍କର୍ମ କରିବା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହା ଓଡ଼ିଶାର ଗୋପାଳପୁର ଗଣଦୁଷ୍କର୍ମ ଘଟଣାର ପୁନରାବୃତ୍ତି ହୋଇଛି। ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଥିବା ବେଳେ ଏକାଧିକ ଯୁବକ ସେମାନଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ୩୦୦୦ ଟଙ୍କା ମାଗିଥିଲେ। ଏହା ପରେ ଯୁବତୀଙ୍କୁ ଘୋଷାଡି଼ ଘୋଷାଡି଼ ନେଇ ଏକ ନିର୍ଜନ ସ୍ଥାନରେ ଗଣ ଦୁଷ୍କର୍ମ କରିଥିଲେ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଠାରୁ ୧୭୦ କିଲୋମିଟର ଦୂର ଦୁର୍ଗାପୁର ସ୍ଥିତ ଏକ ମେଡ଼ିକାଲ କଲେଜରେ।
ମିଳିଥିବା ସୂଚନା ଅନୁସାରେ, ଗତ କାଲି ରାତି ପ୍ରାୟ ୮ଟା ୩୦ରେ ମେଡିକାଲ ଛାତ୍ରୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କୁ ଦେଖା କରିବା ପାଇଁ କ୍ୟାମ୍ପସ ବାହାରକୁ ଯାଇଥିଲେ। ଏହି ସମୟରେ ସେ ଗୁପଚୁପ ଖାଇବା ପାଇଁ ଯିବା ବେଳେ କଲେଜ ଗେଟ୍ ବାହାରେ ପୂର୍ବରୁ ଥିବା ୪ରୁ ୫ ଜଣ ଯୁବକ ଯୁବତୀଙ୍କ ମୋବାଇଲ ଛଡ଼ାଇ ନେବା ସହ ୩ ହଜାର ଟଙ୍କା ମାଗିଥିଲେ ଓ ପୁରୁଷ ବନ୍ଧୁଙ୍କୁ ମାଡ ମାରିଥିଲେ। ଏହା ପରେ ଯୁବତୀଙ୍କୁ ଟାଣି ନେଇ ଏକ ନିର୍ଜନ ସ୍ଥାନରେ ଗଣ ଦୁଷ୍କର୍ମ କରିଥିଲେ। ଯୁବତୀଙ୍କ ପୁରୁଷ ବନ୍ଧୁ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ଏବଂ ଯୁବତୀଙ୍କ ବାପାଙ୍କୁ ଜଣାଇଥିଲେ। ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।
ଏହି ଘଟଣାରେ ଆନ୍ଦୋଳନରେ ବସିଛନ୍ତି କଲେଜର ଛାତ୍ରଛାତ୍ରୀ। ଦୁର୍ଗାପୁର ସ୍ଥିତ ମେଡିକାଲ୍ କଲେଜ ଭିତରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। କଠୋର କାର୍ଯ୍ୟାନୁଷ୍ଠାନ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଛାତ୍ରଛାତ୍ରୀ। କିନ୍ତୁ କଲେଜ କର୍ତ୍ତୃପକ୍ଷ କିମ୍ବା ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ସେପଟେ ଛାତ୍ରୀଙ୍କ ବାପା ଗଣମାଧ୍ୟମରେ ପ୍ରତିକ୍ରିୟାରେ କହିଛନ୍ତି, “ଗତ କାଲି ରାତି ୧୦ଟାରେ ତା’ର ବନ୍ଧୁ ମୋତେ ଫୋନ୍ କରି କହିଲା ଯେ ତୁମ ଝିଅକୁ ଦୁଷ୍କର୍ମ କରାଯାଇଛି। ଆମେ ଜଳେଶ୍ୱରରେ ରହୁ। ମୋ ଝିଅ ଏଠାରେ ପଢ଼ୁଥିଲା। ଗତକାଲି ତା’ର ଜଣେ ସହପାଠୀ ଓ ସେ ବାହାରକୁ ଖାଇବା ପାଇଁ ଯାଇଥିଲେ। କିନ୍ତୁ ଯେତେବେଳେ ଆଉ ଦୁଇ କିମ୍ବା ତିନି ଜଣ ବ୍ୟକ୍ତି ସେଠାକୁ ଆସିଲେ, ସେ ସହପାଠୀ ତାକୁ ଛାଡି ପଳାଇଗଲା। ସେମାନେ ତାକୁ ଦୁଷ୍କର୍ମ କରିଛନ୍ତି। ଏହି ଘଟଣା ରାତି ୮ଟାରୁ ୯ଟା ମଧ୍ୟରେ ଘଟିଥିଲା। ହଷ୍ଟେଲ ବହୁତ ଦୂରରେ ଥିଲା ଏବଂ ସେ ଏଠାକୁ ଖାଇବାକୁ ଆସିଥିଲା। ସୁରକ୍ଷା ବ୍ୟବସ୍ଥା ଯଥେଷ୍ଟ ନୁହେଁ। ଏତେ ଗମ୍ଭୀର ଘଟଣା ଘଟିଛି, ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏଠାରେ କୌଣସି ବ୍ୟବସ୍ଥା ନାହିଁ, କୌଣସି ପ୍ରତିକ୍ରିୟା ନାହିଁ। ସମ୍ବେଦନଶୀଳ ଘଟଣା ହୋଇଥିଲେ ବି ଏଠାକାର ସରକାର ଚୁପ୍ ଅଛନ୍ତି। ଓଡ଼ିଶା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୋଇ ସାରନ୍ତାଣି” ବୋଲି କହିଛନ୍ତି।