ଶ୍ୱେତପର୍ଣ୍ଣା ପଣ୍ଡା ୩୩ତମ ଏକଲବ୍ୟ ପୁରସ୍କାର ବିଜେତା

ପ୍ରୀତିସ୍ମିତା ଭୋଇ ଓ ଆହାନ ଉପବିଜେତା

ଭୁବନେଶ୍ଵର, ୧୧/୧୦: ଓଡ଼ିଶାର କ୍ରୀଡା ସମ୍ପ୍ରଦାୟ ପାଇଁ ଏକ ଅନନ୍ୟ କୃତିତ୍ଵ ପାଇଁ, ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟାଡମିଣ୍ଟନ ତାରକା ଶ୍ୱେତପର୍ଣ୍ଣା ପଣ୍ଡାଙ୍କୁ ୨୦୨୫ ମସିହାର ସମ୍ମାନଜନକ ୩୩ତମ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବିଭିନ୍ନ କ୍ଷେତ୍ରର ପ୍ରଖ୍ୟାତ ଜୁରି ସଦସ୍ୟମାନଙ୍କୁ ନେଇ ଗଠିତ ଏକଲବ୍ୟ ପୁରସ୍କାର କମିଟି ଆଜି ଅନୁଷ୍ଠିତ ଏକ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍କରି ନେଇଛନ୍ତି।

ଉଦୀୟମାନ ବ୍ୟାଡମିଣ୍ଟନ ତାରକା ଶ୍ୱେତପର୍ଣ୍ଣା ପଣ୍ଡା ଏହି ବର୍ଷର ବିଶିଷ୍ଟ ପୁରସ୍କାର ପ୍ରାପ୍ତିକାରୀ ଭାବରେ ଉଭା ହୋଇଛନ୍ତି। ପୁରସ୍କାରର ଅଂଶ ସ୍ବରୂପ ଶ୍ୱେତପର୍ଣ୍ଣା ପଣ୍ଡାଙ୍କୁ ପରେ ଅନୁଷ୍ଠିତ ହେବାକୁ ଥିବା ଏକଲବ୍ୟ ପୁରସ୍କାର ଉତ୍ସବରେ ରାଶି ୭ ଲକ୍ଷ ନଗଦ ପୁରସ୍କାର ଏବଂ ଏକ ଟ୍ରଫି ପ୍ରଦାନ କରାଯିବ।

ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ତାଙ୍କ ସହ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରାତ୍ତୋଳକ ପ୍ରୀତିସ୍ମିତା ଭୋଇ ଏବଂ ଟେନିସ ଖେଳାଳି ଆହାନ, ପ୍ରତ୍ୟେକଙ୍କୁ ୧.୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ।

ଭାରତର ପ୍ରମୁଖ ଫେରୋ ଆଲଏଜ୍ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ମେଟଲ୍ସ ପବ୍ଲିକ ଚାରିଟେବଲ୍ ଟ୍ରଷ୍ଟ (ଇମ୍ପାକ୍ଟ) ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ଜାତୀୟସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡ଼ିଶାର ସବୁଠାରୁ ମର୍ଯ୍ୟାଦାଳନକ କ୍ରୀଡା ସମ୍ମାନ ରୂପେ ପ୍ରଖ୍ୟାତ। କ୍ରୀଡ଼ା କ୍ଷେତ୍ରରେ ବିଗତ ଦୁଇ ବର୍ଷ ମଧ୍ଯରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡାବିତଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ବହୁ ଏକଲବ୍ୟ ପୁରସ୍କାର ବିଜେତା ମାନଙ୍କୁ ସମୀକ୍ଷା କରି ଦେଖାଯାଇଛି ଯେ ଏହି ପୁରସ୍କାର ସେମାନଙ୍କ ଆତ୍ମପ୍ରତେୟ ବୃଦ୍ଧିରେ ବେଶ୍ ସହାୟକ ସାବ୍ୟସ୍ତ ହୋଇଛି।

ପୁରସ୍କାରପ୍ରାପ୍ତମାନଙ୍କ ନାମ ଘୋଷଣା କରି, ଏକଲବ୍ୟ ପୁରସ୍କାର କମିଟିର ଅଧ୍ୟକ୍ଷ ଏବଂ ଇମ୍ପାକ୍ଟର ଟ୍ରଷ୍ଟି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କହିଛନ୍ତି, ଇମ୍ପାକ୍ଟ ସମାଜର ସାମଗ୍ରିକ କଲ୍ୟାଣରେ ଅବଦାନ ରଖିବା ସହିତ କ୍ରୀଡ଼ାରେ ଉତ୍କର୍ଷତାକୁ ଚିହ୍ନଟ ପ୍ରେରଣା ଦେବା ପାଇଁ ନିରନ୍ତର ଚେଷ୍ଟା କରୁଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାକୁ ରାଜ୍ୟର ଯୁବ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ପାଇଁ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଛି।

ଏହି କାର୍ଯ୍ୟକ୍ରମଟି ଏକଲବ୍ୟ ପୁରସ୍କାର କମିଟିର ସଂଯୋଜକ ଶ୍ରୀଯୁକ୍ତ ଅଶ୍ଵିନୀ ପ୍ରସାଦ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ହୋଇଥିଲା।