ଅକ୍ଟୋବରରେ ଆସୁଛି ବାତ୍ୟା

ଦୋହରାଇବ କି ମହାବାତ୍ୟା

ଭୁବନେଶ୍ଵର, ୧୮/୧୦: ୧୯୯୯ ମସିହା ଅକ୍ଟୋବର ମାସ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଦୁଇଟି ଶକ୍ତିଶାଳୀ ବାତ୍ୟା। ଗୋଟିଏ ୧୭ ଅକ୍ଟୋବରରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ସ୍ଥଳଭାଗ ଛୁଇଁ ଥିବା ବେଳେ ଅନ୍ୟଟି ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇ ୨୯ ଅକ୍ଟୋବରରେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ସ୍ଥଳ ଭାଗ ଛୁଇଁ ଥିଲା।

ଏହି ମହାବାତ୍ୟାକୁ କେବେ ବି ଭୁଲି ପାରିବନି ଓଡ଼ିଶା। ଏହି ମହାବାତ୍ୟାରେ ହୋଇଥିବା କ୍ଷୟକ୍ଷତିକୁ ଆଜି ବି ଓଡ଼ିଶା ଭରଣା କରି ପାରିନି। ଅକ୍ଟୋବରରେ ବାତ୍ୟା ଆସିଲେ ଓଡ଼ିଶାବାସୀ ୧୯୯୯ ମହାବାତ୍ୟା କଥା ମନେ ପକାନ୍ତି।

ଆସନ୍ତା ୨୧ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅବପାତ ରୂପ ନେବ। ତେଣୁ ଆମେରିକାର ଜିଏଫ୍‌ଏସ୍‌ ମଡେଲ ବର୍ତ୍ତମାନ ବଙ୍ଗୋପସାଗରରେ ଦୁଇଟି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥିବାର ଆକଳନ କରିଛି। ଯାହା ୧୯୯୯ ମସିହାର ମହାବାତ୍ୟାକୁ ଦୋହରାଇବ ବୋଲି ଆଶଙ୍କା କରାଯାଉଛି।