ପରଲୋକରେ ରୁଚି କମ୍ପାନୀର ପ୍ରତିଷ୍ଠାତା

ବିଭିନ୍ନ ମହଲରେ ଶୋକ ପ୍ରକାଶ

ଭୁବନେଶ୍ଵର, ୦୨/୧୧: ଓଡ଼ିଶାର ଅଗ୍ରଣୀ ମସଲା କମ୍ପାନୀ ‘ରୁଚି ମସଲା’ର ପ୍ରତିଷ୍ଠାତା ଶରତ କୁମାର ସାହୁଙ୍କର ପରଲୋକ ଘଟିଛି। ୭୪ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ଗତ କିଛି ମାସ ଧରି ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ। ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖୁବ୍‌ ଶୀଘ୍ର ତାଙ୍କର ପାର୍ଥିବ ଶରୀର ମୁମ୍ବାଇରୁ କଟକ ଆସିବ ବୋଲି ସୂଚନା ମିଳିଛି।

ବିଶିଷ୍ଟ ବ୍ୟବସାୟୀ ଏବଂ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବିୟୋଗକୁ “ଓଡିଶାର ଶିଳ୍ପ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି” ବୋଲି କହିଛନ୍ତି। ସେହିପରି ଭାରତ ମସଲା ମଧ୍ୟ ଗଭୀର ଶୋକ ପ୍ରକାଶ କରିଛି।

ଡକ୍ଟର ଶରତ ସାହୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ଉଦ୍ୟୋଗୀ ଥିଲେ।ସେ ୧୯୭୬ ମସିହାରେ ଏକ ଛୋଟ ଉଦ୍ୟମରୁ ଆରମ୍ଭ କରି ରୁଚି ଫୁଡଲାଇନ୍ କୁ ଓଡ଼ିଶାର ପ୍ରମୁଖ ମସଲା କମ୍ପାନୀ କରିଥିଲେ। ସେ ଓଡ଼ିଶା ଆସେମ୍ବଲି ଅଫ୍ ସ୍ମଲ୍ ଆଣ୍ଡ୍ ମିଡିୟମ୍ ଏଣ୍ଟରପ୍ରାଇଜେସ୍ (OASME)ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ମଧ୍ୟ ଥିଲେ।