ଶ୍ରୀହରିକୋଟା, ୦୨/୧୧: ଇଚିହାସ ରଚିଲା ଇସ୍ରୋ। ସବୁଠୁ ଓଜନିଆ ଉପଗ୍ରହର ଉତ୍କ୍ଷେପଣ। ଉତ୍କ୍ଷେପଣ ହେଲା ସାଟେଲାଇଟ୍ CMS-03 ବା GSAT-7R। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ ହେଲା। ସନ୍ଧ୍ୟା ୫ଟା ୨୬ ମିନିଟରେ ଦେଶର ଶକ୍ତିଶାଳୀ ରକେଟ୍ LVM3-M5 ମାଧ୍ୟମରେ ହୋଇଛି ଉତ୍କ୍ଷେପଣ। ଭାରତୀୟ ନୌସେନା ପାଇଁ ନିର୍ମିତ କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଦେଶର ସବୁଠୁ ଶକ୍ତିଶାଳୀ ରକେଟ୍ LVM3-M5 ମାଧ୍ୟମରେ ମହାକାଶକୁ ପଠାଯାଇଛି।
ଉତକ୍ଷେପଣର ମାତ୍ର ୧୬ ମିନିଟ୍ ପରେ ମହାକାଶଯାନଟି LVM3 ରୁ ଅନ୍ତରୀକ୍ଷରେ ଅଲଗା ହୋଇଗଲା।
CMS-03 ଉପଗ୍ରହର ଓଜନ ପ୍ରାୟ ୪ ହଜାର ୪୧୦ କିଲୋଗ୍ରାମ। ଭାରତୀୟ ମାଟିରୁ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର କକ୍ଷପଥକୁ ଯାଉଥିବା ଏହା ହେଉଛି ସବୁଠୁ ଓଜନିଆ ଯୋଗାଯୋଗ ସାଟେଲାଇଟ୍। ଏହି ଉପଗ୍ରହ ମୁଖ୍ୟତଃ ଭାରତ ମହାସାଗରରେ ଭାରତୀୟ ନୌସେନାର ଯୋଗାଯୋଗ ନେଟୱାର୍କର ମେରୁଦଣ୍ଡ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ କରାଯାଇଛି।
ଏଥିରେ ଥିବା ମଲ୍ଟି ବ୍ୟାଣ୍ଡ ଯେପରିକି C, ଏକ୍ସଟେଣ୍ଡେଡ୍ C ଏବଂ Ku ବ୍ୟାଣ୍ଡ ଯୁଦ୍ଧଜାହାଜ, ବୁଡ଼ାଜାହାଜ ଓ ବିମାନଗୁଡ଼ିକୁ ସୁରକ୍ଷିତ ତଥା ଉନ୍ନତ ଯୋଗାଯୋଗ ସେବା ଯୋଗାଇବ। ସାମୁଦ୍ରିକ ଓ ରଣନୈତିକ ସଂଯୋଗ ବୃଦ୍ଧିରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ମିଶନ୍ ଦ୍ୱାରା ଭାରତର ମହାକାଶ ଭିତ୍ତିକ ସାମରିକ ଓ ବେସାମରିକ ଯୋଗାଯୋଗ ବ୍ୟବସ୍ଥା ଆହୁରି ମଜଭୁତ ହେବ। ଭବିଷ୍ୟତର ଗଗନଯାନ ମିଶନ୍ ପାଇଁ ମଧ୍ୟ ଅତ୍ୟନ୍ତ ସହାୟକ ହେବ।