ଦିଲ୍ଲୀରେ ବିସ୍ଫୋରଣ: ହାଇ ଆଲର୍ଟରେ ଓଡ଼ିଶା

ସାରା ରାଜ୍ୟରେ ସୁରକ୍ଷା କଡ଼ାକଡ଼ି

ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୦/୧୧: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଏକ କାରରେ ଏକ ବଡ଼ ଧରଣର ବିସ୍ଫୋରଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଡିଜିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବାଲିଯାତ୍ରା ଚାଲିଥିବାରୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରମୁଖ ସହର ଓ ସମ୍ୱେଦନଶୀଳ ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସାଧାରଣ ଲୋକଙ୍କ ଜୀବନହାନି ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଘଟଣାର କଡ଼ା ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଭଳି ଅମାନବୀୟ ଘଟଣାକୁ ଭାରତ କେବେ ବରଦାସ୍ତ କରିନାହିଁ, କି କରିବନି ବୋଲି କହିଛନ୍ତି।

ଦେଶର ବିଭିନ୍ନ ସରକାରୀ କୋଠା, ବିମାନବନ୍ଦର ଓ ମେଟ୍ରୋ ଅଞ୍ଚଳକୁ ଯାଇ ଆଲର୍ଟରେ ରଖାଯାଇଛି। ଓଡ଼ିଶାରେ ରାଜଧାନୀ ଭୁବନେଶ୍ବରରେ ବି ହାଇଆଲର୍ଟ ଜାରି କରାଯାଇଛି। ସବୁ ପ୍ରବେଶ ଓ ପ୍ରସ୍ଥାନ ପଥରେ କଡ଼ା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରେଲୱେ ଷ୍ଟେସନ ଓ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସମସ୍ତ ହୋଟେଲ୍‌ରେ ସର୍ଚ୍ଚ କରିବାକୁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପୁରୀରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି। ପୁରୀ ବେଳାଭୂମି, ସମୁଦ୍ରକୂଳ, ବଡ଼ଦାଣ୍ଡ, ଶ୍ରୀମନ୍ଦିର ଚତୁଃପାର୍ଶ୍ଵ, ରେଲୱେ ଷ୍ଟେସନ ଓ ବସଷ୍ଟାଣ୍ଡରେ ହାଇ ଆଲର୍ଟ ଜାରି କରାଯାଇଛି। ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ରହିଛି।

ସାରା ରାଜ୍ୟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ବୋଲି କହିଛନ୍ତି ଡିଜିପି ୱାଇ.ବି ଖୁରାନିଆ। କଟକ ବାଲିଯାତ୍ରା ପଡ଼ିଆରେ ସମୀକ୍ଷା ପରେ ପୋଲିସ ଡିଜି କହିଛନ୍ତି ଯେ, ପ୍ରମୁଖ ଓ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବୃଦ୍ଧି ହୋଇଛି। ଲୋକଙ୍କୁ ସହଯୋଗ କରିବାକୁ ଅପିଲ୍ କରିବା ସ‌ହ କୌଣସି ସନ୍ଦିଗ୍ଧଙ୍କୁ ଦେଖିଲେ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଜଣାନ୍ତୁ ବୋଲି କହିଛନ୍ତି।

ବିସ୍ଫୋରଣ ପରେ ମଙ୍ଗଳବାର ଦିଲ୍ଲୀର ଚାନ୍ଦିନୀ ଚୌକ ବଜାର ବନ୍ଦ ରହିବ ବୋଲି ମାର୍କେଟ୍ ଆସୋସିଏସନ୍ ସଭାପତି ସଞ୍ଜୟ ଭାର୍ଗବ କହିଛନ୍ତି।