ନେତାନ୍ୟାହୁଙ୍କୁ ବଡ଼ ଝଟକା; ପ୍ରତିଦ୍ବନ୍ଦ୍ବୀ ଆଇଜେନକୋଟଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ

ନେତାନ୍ୟାହୁଙ୍କୁ କ୍ଷମତାଚ୍ୟୁତ କରିବାକୁ ଆଇଜେନକୋଟଙ୍କ ପାଖରେ ଅଛି ୨୮ ଦିନ

ତେଲ ଆଭିଭ, ୦୮/୧୧: ଇସ୍ରାଏଲ ରାଜନୀତିରେ ଦେଖାଦେଇଛି ବଡ଼ ପରିବର୍ତ୍ତନ। ଦୀର୍ଘବର୍ଷ ଧରି ଦେଶର ଶାସନ କ୍ଷମତାରେ ରହିଆସିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଲାଗିଛି ବଡ଼ ଝଟ୍‌କା। ନେତାନ୍ୟାହୁଙ୍କ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ସେନା ମୁଖ୍ୟ ଗାଡି ଆଇଜେନକୋଟଙ୍କୁ ଦେଶରେ ନୂଆ ସରକାର ଗଠନ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍।

ଗତ ଅକ୍ଟୋବର ୨୭ ତାରିଖରେ ଇସ୍ରାଏଲରେ ସାଧାରଣ ନିର୍ବାଚନ ହୋଇଥିଲା। ତେବେ ଏହି ନିର୍ବାଚନରେ କୌଣସି ରାଜନୈତିକ ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିନଥିଲା। ଫଳରେ ଦେଶରେ ସରକାର ଗଠନକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଇସ୍ରାଏଲ ସଂସଦ ‘କ୍ନେସେଟ୍‌’ରେ ମୋଟ ୧୨୦ଟି ଆସନ ରହିଛି। ସରକାର ଗଠନ ପାଇଁ ଅତିକମ୍‌ରେ ୬୧ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ନିର୍ବାଚନ ପରେ ନେତାନ୍ୟାହୁଙ୍କ ନେତୃତ୍ୱାଧୀନ ମେଣ୍ଟ ଏହି ସଂଖ୍ୟା ହାସଲ କରିବାରେ ବିଫଳ ହୋଇଥିଲା।

ଅନ୍ୟପଟେ ଆଇଜେନକୋଟଙ୍କ ସପକ୍ଷରେ ୧୨୦ ଜଣ ସାଂସଦଙ୍କ ମଧ୍ୟରୁ ୬୭ ଜଣ ସାଂସଦ ସମର୍ଥନ ଜଣାଇଛନ୍ତି। ଏହି ସମର୍ଥନକୁ ଆଧାର କରି ରାଷ୍ଟ୍ରପତି ତାଙ୍କୁ ସରକାର ଗଠନର ପ୍ରଥମ ସୁଯୋଗ ଦେଇଛନ୍ତି। ଅନ୍ୟପଟେ ୪୬ ଜଣ ସାଂସଦ ନେତାନ୍ୟାହୁଙ୍କ ସପକ୍ଷରେ ମତ ଦେଇଥିବା ବେଳେ ୭ ଜଣ ସାଂସଦ କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରିନାହାନ୍ତି।

ରାଷ୍ଟ୍ରପତିଙ୍କଠାରୁ ସରକାର ଗଠନର ଦାୟିତ୍ୱ ମିଳିବା ପରେ ଆଇଜେନକୋଟଙ୍କ ପାଖରେ ୨୮ ଦିନ ସମୟ ରହିବ। ଏହି ସମୟ ମଧ୍ୟରେ ତାଙ୍କୁ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରି ଏକ ସ୍ଥାୟୀ ମେଣ୍ଟ ଗଠନ କରିବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ତାଙ୍କୁ ଅତିରିକ୍ତ ୧୪ ଦିନ ସମୟ ମଧ୍ୟ ମିଳିପାରିବ। ତେବେ କେବଳ ୬୭ ଜଣ ସାଂସଦଙ୍କ ସମର୍ଥନ ଥିବାରୁ ସରକାର ଗଠନ ସହଜ ହେବ ନାହିଁ। ଏହି ସାଂସଦମାନଙ୍କ ମଧ୍ୟରେ ରାଜନୈତିକ ଓ ବିଚାରଧାରାଗତ ମତଭେଦ ରହିଛି।

ବିଶେଷକରି ଆରବ ସମୁଦାୟର ପ୍ରତିନିଧିତ୍ୱ କରୁଥିବା ଦୁଇଟି ଦଳର ମୋଟ ୧୯ ଜଣ ସାଂସଦ ମଧ୍ୟ ଆଇଜେନକୋଟଙ୍କୁ ସମର୍ଥନ ଜଣାଇଛନ୍ତି। କିନ୍ତୁ ଏହି ଦଳଗୁଡ଼ିକୁ ସରକାରୀ ମେଣ୍ଟରେ ସାମିଲ କରିବାକୁ ନେଇ ଆଇଜେନକୋଟଙ୍କ ସମର୍ଥକ ଦଳଗୁଡ଼ିକ ମଧ୍ୟରେ ମତଭେଦ ରହିଛି। ତେଣୁ ସମସ୍ତଙ୍କୁ ଏକାଠି କରି ସରକାର ଗଠନ କରିବା ତାଙ୍କ ପାଇଁ ବଡ଼ ଆହ୍ୱାନ ହେବ।

ଏହି ରାଜନୈତିକ ସଙ୍କଟ ମଧ୍ୟରେ ନେତାନ୍ୟାହୁ ମଧ୍ୟ ଏକ ଜାତୀୟ ଏକତା ସରକାର ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ଦେଶର ସୁରକ୍ଷା ଓ ଆଞ୍ଚଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜାୟୋନିଷ୍ଟ ଦଳ ଏକାଠି ହେବା ଉଚିତ ବୋଲି ସେ କହିଛନ୍ତି। ତେବେ ନେତାନ୍ୟାହୁଙ୍କ ସହ ମିଶି ସରକାର ଗଠନ କରିବା ନେଇ ଆଇଜେନକୋଟଙ୍କ ଆଭିମୁଖ୍ୟ ସକରାତ୍ମକ ନାହିଁ।

ସୂଚନାଯୋଗ୍ୟ, ଗାଡି ଆଇଜେନକୋଟ ଇସ୍ରାଏଲର ପୂର୍ବତନ ସେନା ମୁଖ୍ୟ। ସେ ୨୦୨୨ ମସିହାରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ। ନେତାନ୍ୟାହୁଙ୍କ ଶାସନ ଓ ଗାଜା ଯୁଦ୍ଧ ପରିଚାଳନାକୁ ନେଇ ସେ ଅନେକ ସମୟରେ ସମାଲୋଚନା କରିଆସିଛନ୍ତି।

ତେବେ ଆଇଜେନକୋଟ ସରକାର ଗଠନ କରିବାରେ ବିଫଳ ହେଲେ ରାଷ୍ଟ୍ରପତି ଅନ୍ୟ ଜଣେ ସାଂସଦଙ୍କୁ ଏହି ସୁଯୋଗ ଦେଇପାରିବେ। ଆବଶ୍ୟକ ସମର୍ଥନ ଯୋଗାଡ଼ ହୋଇନପାରିଲେ ଦେଶରେ ପୁଣି ନିର୍ବାଚନର ସମ୍ଭାବନା ମଧ୍ୟ ରହିଛି। ନୂଆ ସରକାର ସଂସଦରେ ଆସ୍ଥା ଭୋଟ୍‌ ହାସଲ ନକରିବା ପର୍ଯ୍ୟନ୍ତ ନେତାନ୍ୟାହୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱରେ ରହିବେ। ତେଣୁ ଆଗାମୀ ୨୮ ଦିନ ଇସ୍ରାଏଲ ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।