ବୈତରଣୀ ନଦୀରେ ବୁଡ଼ି ନିଖୋଜ ହୋଇ ଯାଇଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ

ଚମ୍ପୁଆ ୧୬।୧୧(ଦର୍ଶନ ନ୍ୟୁଜ): ଗତ ଦୁଇ ତାରିଖରେ କାନୁପୁର ଡ୍ୟାମର ତଳମୁଣ୍ଡରେ ବୈତରଣୀ ନଦୀରେ ବୁଡି ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଆଜି ମିରିଗିଶିଙ୍ଗା ନିକଟରେ ବୈତରଣୀ ନଦୀରୁ ଚମ୍ପୁଆ ପୁଲିସ ଉପସ୍ଥିତିରେ ଉଦ୍ଧାର କଲା ଚମ୍ପୁଆ ଅଗ୍ନିଶମ ବିଭାଗ।

ସୂଚନା ଯୋଗ୍ୟ କି ଗତ ଦୁଇ ତାରିଖରେ ଚମ୍ପୁଆ ଥାନା ଅନ୍ତର୍ଗତ ରଘୁଆଳସାହି ଗ୍ରାମର ଟୁକୁନା ମୁଣ୍ଡା (୪୦) ଯୋଡା ଥାନା କଣ୍ଡରା ନିକଟରେ ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ବୁଡି ଯାଇଥିଲେ। ଖବର ପାଇ ଯୋଡା ପୁଲିସ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି କରିଥିଲେ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ତେବେ ଗତ କାଲି ସନ୍ଧ୍ୟାରେ ମିରିଗିସିଙ୍ଗା ବୈତରଣୀ ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ନଦୀ କୂଳରେ ଥିବା ଏକ ଗଛରେ ଏକ ମୃତଦେହ ଲାଗିଥିବା ନେଇ ଗ୍ରାମବାସୀ ଦେଖି ଚମ୍ପୁଆ ଥାନାକୁ ଖବର ଦେଇଥିଲେ। ଖବର ପାଇ ଚମ୍ପୁଆ ପୁଲିସ୍ ଚମ୍ପୁଆ ଅଗ୍ନିଶମ ବାହିନୀ ସହାୟତାରେ ଟୁକୁନାଙ୍କ ମୃତଦେହକୁ ନଦୀରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଚମ୍ପୁଆ ଥାନା କେସ ନଂ ୫୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।