ଉପାନ୍ତ ଗ୍ରାମାଞ୍ଚଳର କୁନିଝିଅଟିକୁ ପୁନର୍ଜନ୍ମ ଦେଲା ଆୟୁଷ୍ମାନ କାର୍ଡ

ଦେୟ ମୁକ୍ତ ଚିକିତ୍ସା ପାଇଲେଣି ୫.୮୧ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି

ରାଜ୍ୟ ବାହାରେ ଚିକିତ୍ସିତ ହେଇଛନ୍ତି ୪୯ ହଜାର ବ୍ୟକ୍ତି

ଭୁବନେଶ୍ବର, ୨୫/୧୧: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ କେନ୍ଦ୍ରାପଡ଼ା ଜିଲ୍ଲା ଉପାନ୍ତ ଭିତରକନିକାରୁ ଆସିଥିବା ଅଢେଇ ବର୍ଷର କୁନିଝିଅକୁ ଦେଇଛି ପୁନର୍ଜନ୍ମ। କନ୍ୟାରତ୍ନଟି ପାଇଛି ସୁସ୍ଥ ଭାବେ ବଞ୍ଚିବାର ଅଧିକାର। ଏ ଖବର ପୁରା ଗ୍ରାମରେ ଆଣିଛି ଖୁସି ଓ ସନ୍ତୋଷ।

ରାଜନଗର ବ୍ଲକ ଖମାର ସାହି ପଞ୍ଚାୟତ ଅନ୍ତର୍ଗତ ଡ଼ାଙ୍ଗମାଳ ଗ୍ରାମ ନିବାସୀ ବିଜୟ ସାହୁ ଜଣେ ଛୋଟ ଚାଷୀ | ଚାଷ, ମାଛ କରି କୌଣସି ଉପାୟରେ ଜୀବିକା ନିର୍ବାହ କରନ୍ତି। ଅଢେଇ ବର୍ଷର ଝିଅ ଦିବ୍ୟାଶ୍ରୀର ଅସୁସ୍ଥତା ପରିବାର ପାଇଁ ବଡ଼ ବିପଦ ଆଣିଲା। ପିଲାଟିର ତଳ ପେଟରେ କଷ୍ଟ ହେବା ସହ ଓଜନ କମିବା, ଭୋକ ନ ହେବା, ଲଗାତାର ଜର ହେବା ଆଦି ସମସ୍ୟା ବଢ଼ି ଚାଲିଥିଲା। ଝିଅଟିର ମା’ ଅନିମା ସାହୁ କୁହନ୍ତି ତାକୁ ଯେତେ ଯେଉଁଠି ଦେଖେଇଲୁ ଭଲ ହେଲାନି, ଶେଷରେ ଆମ ଗାଁର ଜଣେ ପଡିଶାଙ୍କ ପରାମର୍ଶ କ୍ରମେ ଭୁବନେଶ୍ବର କିମ୍ସ ହସପିଟାଲକୁ ଆଣିଲୁ। ଡାକ୍ତର ବହୁପ୍ରକାର ପରୀକ୍ଷା ନିରୀକ୍ଷା କଲେ। ଶେଷରେ ତାର ଲିଭର ଟ୍ୟୁମର ହୋଇଛି ଏବଂ ଲିଭର୍ ବଢ଼ି ଯାଇଛି ବୋଲି ଜଣାପଡ଼ିଲା।

କିମ୍ୱ ହସ୍ପିଟାଲ ସୂତ୍ରରୁ ପ୍ରକାଶ, ଛୋଟ ଝିଅଟି ହେପାଟୋବ୍ଲା ଷ୍ଟୋମା (ଏକ ପ୍ରକାର ବିରଳ ଲିଭରଟ୍ୟୁମର)ରେ ଆକ୍ରାନ୍ତ ଥିଲା। ଏହା ଶରୀରର ଫୁସଫୁସ ଆଦି ଅନ୍ୟ ଅଙ୍ଗକୁ ମଧ୍ଯ ସଂକ୍ରମିତ ହେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତୁରନ୍ତ ଶିଶୁ-ରକ୍ତ ବିଜ୍ଞାନ ଅଙ୍କୋଲୋଜିଷ୍ଟ ଡାକ୍ତର ପ୍ରକାଶ ଦାଶଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ଆରମ୍ଭ ହୋଇଥିଲା। କିନ୍ତୁ, ଲିଭରଟି ଅସ୍ତ୍ରୋପଚାର ସ୍ଥିତିରେ ନଥିଲା। ତେଣୁ ଏକ ବହୁ ବିଭାଗୀୟ ମିଳିତ ଟିମ୍ ଗଠନ କରାଯାଇଥିଲା। କିମସ୍ ହସ୍ପିଟାଲର ୭ଟି ବିଭାଗରୁ ପ୍ରାୟ ୧୫ ଜଣ ବରିଷ୍ଠ ଡ଼ାକ୍ତର ଏହି ଟିମରେ ସାମିଲ ହୋଇଥିଲେ। ପରେ ଏକ ଜଟିଳ ଟ୍ରାନସ୍ ଆଟେରିଆଲ କେମୋ-ଏମ୍ବୋଲାଇଜେସନ୍ (TACE) ପ୍ରକ୍ରିୟା ସହ ଏକ୍ସଟେଣ୍ଡେତ୍ ଲିଭର ରିସେକ୍ସନ୍ କରାଯାଇଥିଲା। ଛୋଟ ଶିଶୁର ଅପରେସନ ନିମନ୍ତେ ଏହି ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ଏବଂ ଏକ ବିରଳ ଚିକିତ୍ସା ପଦ୍ଧତି ଥିଲା।

ଡ଼ାକ୍ତରଖାନାରେ ଆଡ଼ମିଶନ ହେବାଠାରୁ ୧ ମାସ ମଧ୍ୟରେ ଶିଶୁଟି ସୁସ୍ଥ ହୋଇଥିଲା। ସେପ୍ଟେମ୍ବର ମାସ ୧୬ ତାରିଖ ଦିନ ତାର ଡିସଚାର୍ଜ ହୋଇଥିଲା। ଏଥିରେ ୨.୧୪ ଲକ୍ଷ ଅଧିକ ଟଙ୍କା ମୂଲ୍ୟର ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଇତି ମଧ୍ୟରେ ଝିଅର ପ୍ରଥମ ଚେକଅପ୍ ସରିଛି। ସେ ବର୍ତ୍ତମାନ ଭଲ ଅଛି। ଖୁସିରେ ଖୁଆ ପିଆ ଖେଳକୁଦ କରୁଛି। ମା’ ଅନିମା କହିଛନ୍ତି “ଆୟୁଷ୍ମାନ କାର୍ଡ ନଥିଲେ ଆମେ କଣ କରିଥାଆନ୍ତୁ। ଝିଅକୁ ଆଉ ପାଇନଥାନ୍ତୁ। ଏହି ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଆମ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅଶେଷ କୃତଜ୍ଞତା ଜଣାଉଛି।”

କେବଳ ଦିବ୍ୟାଶ୍ରୀ ନୁହଁନ୍ତି ଓଡ଼ିଶାରେ ଚଳିତ ବର୍ଷ ଏପ୍ରିଲ ମାସରୁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ ହେବା ପରଠାରୁ ନଭେମ୍ବର ୨୪ ତାରିଖ ସୁଦ୍ଧା ୫.୮୧ ଲକ୍ଷରୁ ଅଧିକ କାର୍ଡଧାରୀ ବ୍ୟକ୍ତି ସାରା ଦେଶର ବିଭିନ୍ନ ତାଲିକାଭୁକ୍ତ ହସ୍ପିଟାଲମାନଙ୍କରେ ୮.୨୫ ଲକ୍ଷ ଥର ପ୍ରାୟ ୨୨୭୧ କୋଟି ଟଙ୍କା ମୂଲ୍ୟର ଦେୟମୁକ୍ତ ଚିକିତ୍ସା ପାଇଲେଣି। ଏଥି ମଧ୍ୟରୁ ଓଡ଼ିଶା ଭିତର ତାଲିକାଭୁକ୍ତ ହସପିଟାଲ ମାନଙ୍କରେ କାର୍ଡଧାରୀ ମାନେ ପ୍ରାୟ ୭.୭୬ ଲକ୍ଷ ଥର ଏବଂ ଅନ୍ୟ ରାଜ୍ୟର ହସପିଟାଲ ମାନଙ୍କରେ ପ୍ରାୟ ୪୯ ହଜାର ଥର ଦେୟମୁକ୍ତ ଚିକିତ୍ସା ଲାଭ କରିଛନ୍ତି। ଏହି ମିଳିତ ଯୋଜନାରେ ହିତାଧିକାରୀ ପରିବାରର ସବୁ ସଦସ୍ୟଙ୍କୁ ଅଲଗା ଅଲଗା କାର୍ଡ ମିଳିଥିବାରୁ କୌଣସି କାରଣରୁ ବାହାରେ ରହୁଥିବା ସଦସ୍ୟମାନଙ୍କ ନିମନ୍ତେ ନିକଟବର୍ତ୍ତୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇବା ମଧ୍ଯ ସୁବିଧାଜନକ ହେଉଛି।