କିଭ୍, ୨୯/୧୦: ୟୁକ୍ରେନ୍ ବିରୋଧରେ ଋଷିଆର ଆକ୍ରମଣ ଆହୁରି ଭୟାନକ ରୂପ ନେଇଛି। ୟୁକ୍ରେନର ପ୍ରମୁଖ ସହର ଡ୍ନିପ୍ରୋ ଟ୍ରେନ୍ ଷ୍ଟେସନ୍ ଉପରେ ଋଷିଆ ପକ୍ଷରୁ ଏକ ଭୟଙ୍କର ଡ୍ରୋନ୍ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୧୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଡ୍ନିପ୍ରୋ ଷ୍ଟେସନର ପ୍ଲାଟଫର୍ମରେ ଡ୍ନିପ୍ରୋ-ଜାପୋରିଜିଆ ଅଭିମୁଖେ ଯିବାକୁ ଥିବା ଯାତ୍ରୀବାହୀ ଟ୍ରେନ୍ ଏବଂ ଏକ ଲୋକାଲ୍ ଇଲେକ୍ଟ୍ରିକ୍ ଟ୍ରେନ୍ ଛିଡ଼ା ହୋଇଥିଲା। ସେହି ସମୟରେ ବହୁ ସଂଖ୍ୟାରେ ଯାତ୍ରୀ ପ୍ଲାଟଫର୍ମରେ ଗାଡ଼ିକୁ ଅପେକ୍ଷା କରି ଛିଡ଼ା ହୋଇଥିଲେ।
ଠିକ୍ ଏହି ସମୟରେ ଋଷିଆ ପକ୍ଷରୁ ୨ଟି ଜେଟ୍-ପାୱାର୍ଡ ଡ୍ରୋନ୍ ସିଧାସଳଖ ପ୍ଲାଟଫର୍ମ ଏବଂ ଟ୍ରେନ୍କୁ ଲକ୍ଷ୍ୟ କରି ମାଡ଼ କରାଯାଇଥିଲା। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି।
ଆକ୍ରମଣ ପରେ ପୁଲିସ୍, ମେଡିକାଲ୍ ଟିମ୍ ଏବଂ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। କେତେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି।