ହଂକଂ, ୨୭।୧୧: ହୁତୁହୁତୁ ହୋଇ ଜଳିଗଲା ସୁଉଚ୍ଚ ଅଟ୍ଟାଳିକା। ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୭ଟି ସୁଉଚ୍ଚ ଅଟ୍ଟାଳିକା। ନିଆଁ ଆଁରେ ଲିଭିଗଲା ଅନେକ ଜୀବନ ଦୀପ। ଏଭଳି ଏକ ଅଘଟଣ ଘଟିଛି ଚୀନ୍ ରେ।
ହଂକଂର ତାଇ ପୋ ଜିଲ୍ଲାରେ ବୁଧବାର ଘଟିଛି ଭୟାବହ ଅଗ୍ନିକାଣ୍ଡ। ‘ୱାଙ୍ଗ ଫୁକ୍ କୋର୍ଟ’ ନାମକ ଏକ ବିଶାଳ ହାଉସିଂ କମ୍ପ୍ଲେକ୍ସରେ ଚାହୁଁ ଚାହୁଁ ଜଳିଯାଇଛି ୩୨ ମହଲା ବିଶିଷ୍ଟ ୭ଟି ଅଟ୍ଟାଳିକା। ନିଆଁରେ ଜଳି ଯାଇଛନ୍ତି ୪୪ ଜଣ ଲୋକ। ସେଠାରେ ଥିବା ୨୦୦୦ ଫ୍ଲାଟରେ ପ୍ରାୟ ୪୬୦୦ ଲୋକ ରହୁଥିଲେ।
ଗତ କାଲି ଅପରାହ୍ନ ୨ଟା ସମୟରେ ପ୍ରଥମେ ଗୋଟିଏ ଆପାର୍ଟମେଣ୍ଟରେ ନିଆଁ ଲାଗିଥିଲା। କିନ୍ତୁ ନିଆଁର ତୀବ୍ରତା ଏତେ ଥିଲା ଯେ, କିଛି କ୍ଷଣରେ ଅନ୍ୟ ଆପାର୍ଟମେଣ୍ଟକୁ ବି ବ୍ୟାପି ଯାଇଥିଲା ନିଆଁ। ଯାହା କବଳରୁ ବର୍ତ୍ତି ପାରିନଥିଲେ ଲୋକେ। ତଥାପି ୪୫ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସୁଦ୍ଧା ୩୦୦ରୁ ଉର୍ଦ୍ଧ୍ବ ନିଖୋଜ ଅଛନ୍ତି। ନିଆଁ ଲାଗିବା ପରେ ୯୦୦ ଜଣଙ୍କୁ ଅସ୍ଥାୟୀ ବାସ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।
ନିଆଁ ଲିଭାଇବା ପାଇଁ ୧୪୦ ଟି ଅଗ୍ନିଶମ ଗାଡ଼ି ଓ ୬୦ଟି ଆମ୍ବୁଲାନ୍ସ ନିୟୋଜିତ ଥିବା ବେଳେ ଅଗ୍ନି ନିର୍ବାପନ ପାଇଁ ୭୦୦ରୁ ଅଧିକ ଫାୟାର ଫାଇଟର ନିୟୋଜିତ ଅଛନ୍ତି। ଏହି ଅଗ୍ନିକାଣ୍ଡକୁ କ୍ଲାସ-୫ରେ ଅନ୍ତର୍ଭୁକ୍ତ କରାଯାଇଛି। ଯାହାକି ହଂକଂରେ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ।