୯୭.୫୧ ଲକ୍ଷ ପାଇଛନ୍ତି ସୁଭଦ୍ରା ଯୋଜନାର ୩ଟି କିସ୍ତି
ତୃତୀୟ କିସ୍ତିରେ ବାଦ ପଡିଛନ୍ତି ୯ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ
ଭୁବନେଶ୍ୱର, ୨୯/୧୧: ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ସୁରୁଖୁରୁରେ ଚାଲିଛି ଗୃହ କାର୍ଯ୍ୟ। ପ୍ରଶ୍ନ କାଳ ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି।
ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ” ଏଯାଏଁ ୯୭ ଲକ୍ଷ ୫୧ ହଜାର ୪୭୯ ଜଣ ସୁଭଦ୍ରା ଯୋଜନାର ସମସ୍ତ ୩ଟି କିସ୍ତି ପାଇଛନ୍ତି। ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। ୧ କୋଟି ୧ ଲକ୍ଷ ୯୨ ହଜାର ୭୨୪ ଦ୍ୱିତୀୟ କିସ୍ତି ପାଇଛନ୍ତି।
ତୃତୀୟ କିସ୍ତିରେ ୯ ଲକ୍ଷରୁ ଅଧିକ ହିତାଧିକାରୀ ବାଦ ପଡିଛନ୍ତି। କ୍ଷେତ୍ର ପରିଦର୍ଶନ କରି ୧୭ ଲକ୍ଷଙ୍କୁ ଯୋଡ଼ାଯାଇଛି। ସରଜମିନ୍ ତଦନ୍ତ ପରେ ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା। ଏଯାଏଁ ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି।
ସେହିପରି ରାଜ୍ୟର ୧୩ଟି ଜିଲ୍ଲାରେ ୩୨୨ଟି ସୁଭଦ୍ରା ଶକ୍ତି କେନ୍ଦ୍ର ନିର୍ମାଣ ହୋଇଛି। ୩୩୮ଟି ମଞ୍ଜୁର ହୋଇଛି, ୩୨୨ଟି ନିର୍ମାଣ ସରିଛି। ମୟୂରଭଞ୍ଜରେ ସର୍ବାଧିକ ୨୫ଟି ସୁଭଦ୍ରା ଶକ୍ତି କେନ୍ଦ୍ର, ଗଞ୍ଜାମରେ ୨୪ଟି, ସୁନ୍ଦରଗଡ଼ରେ ୨୧ଟି ନିର୍ମାଣ ହୋଇଛି।