ବିପର୍ଯ୍ୟୟ ଆଣିଲା ‘ଦିତ୍ୱା’: ୧୨୦ରୁ ଉର୍ଦ୍ଧ୍ବ ମୃତ, ଶତାଧିକ ନିଖୋଜ

‘ଅପରେସନ୍ ସାଗର ବନ୍ଧୁ’ ରେ ରିଲିଫ୍ ସହାୟତା ଯୋଗାଣ

କଲମ୍ବୋ, ୨୯/୧୧: ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ଦିତ୍ୱା। ବାତ୍ୟା ଦିତ୍ୱାରେ ମୁଷଳ ଧାରା ବର୍ଷା ଯୋଗୁଁ ସୃଷ୍ଟି ସୋଇଥିବା ବନ୍ୟା ଓ ଭୂସ୍ଖଳନରେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳ ୯ଟା ସୁଦ୍ଧା ୧୩୦ ଜଣ ନିଖୋଜ ଥିବା ସୂଚନା ମିଳିଛି।

୬୧ ହଜାର ପରିବାରର ୨,୦୦,୦୦୦ ରୁ ଅଧିକ ଲୋକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। କେବଳ କାଣ୍ଡି ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତି ସୁଦ୍ଧା ୫୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ସରକାରୀ ଭାବରେ ଯାଞ୍ଚ କରାଯାଇ ନଥିବାରୁ ମୃତ୍ୟୁ ସଂଖ୍ୟା ବହୁତ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ସେହିପରି ଅନ୍ୟ ଏକ ଜିଲ୍ଲାରେ ଭୂସ୍ଖଳନ ହେବାରୁ ଅନେକ ଲୋକ ନିଖୋଜ ହେବା ସହ ୩୫ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଶହ ଶହ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

୨୯ ନଭେମ୍ବର ସନ୍ଧ୍ୟାରୁ ୩୦ ନଭେମ୍ବର ସକାଳ ମଧ୍ୟରେ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମଧ୍ୟରେ ଘୂର୍ଣ୍ଣିଝଡ଼ ଦିତ୍ୱା ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି। ଘୂର୍ଣ୍ଣିଝଡର ପ୍ରଭାବ ବ୍ୟାପକ ହେବ ବୋଲି ଆଶା କରାଯାଉଛି ଏବଂ ଏହା ନଭେମ୍ବର ୩୦ ତାରିଖରେ ତାମିଲନାଡୁ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ପକାଇବ।

ଶ୍ରୀଲଙ୍କାର ଏହି ସଙ୍କଟ ବେଳେ ସହାୟତା କରିବା ପାଇଁ ଭାରତ ଶୁକ୍ରବାର ଦିନ ‘ଅପରେସନ୍ ସାଗର ବନ୍ଧୁ’ ଆରମ୍ଭ କରିଛି ଏବଂ ଭାରତୀୟ ନୌସେନାର ବିମାନ ବାହକ INS ବିକ୍ରାନ୍ତ ଏବଂ ଆଗ ଧାଡ଼ିର ଜାହାଜ INS ଉଦୟଗିରି ଦ୍ୱାରା ରିଲିଫ୍ ସାମଗ୍ରୀ ପଠାଯାଇଛି।

ଭାରତୀୟ ବାୟୁସେନା ଶନିବାର ଦିନ ଶ୍ରୀଲଙ୍କାକୁ ସହାୟତା କରିବା ପାଇଁ ୮୦ ଜଣ NDRF କର୍ମଚାରୀ ଏବଂ ୮ ଟନ୍ ଉପକରଣ ସହିତ ୨୧ ଟନ୍ ରିଲିଫ୍ ସାମଗ୍ରୀ ଯୋଗାଇଛି। ଶୁକ୍ରବାର ମଧ୍ୟରାତ୍ରିରେ ହିଣ୍ଡନ୍ ବାୟୁସେନା ଘାଟିରୁ ତୁରନ୍ତ ରିଲିଫ୍ ପଠାଯାଇଛି।