ଭାରତରୁ ମିଳିଲା ଏସିଆର ସର୍ବ ପୁରାତନ କଣ୍ଟା ବାଉଁଶ ଜୀବାଶ୍ମ
ପୃଥିବୀର ଅଧିକାଂଶ ସ୍ଥାନରୁ ଲୋପ ପାଇଛି ଏହି ବାଉଁଶ
୩୭୦୦୦ ବର୍ଷ ପୂର୍ବର ହିମ ଯୁଗରେ ଥିଲା ଏହି ବାଉଁଶ
ଇମ୍ଫାଲ, ୨୮/୧୧: ଭାରତରୁ ମିଳିଲା ଏସିଆର ସର୍ବ ପୁରାତନ କଣ୍ଟା ବାଉଁଶ ଜୀବାଶ୍ମ। ମଣିପୁରର ଇମ୍ଫାଲ ଉପତ୍ୟକାର ଚିରାଙ୍ଗ ନଦୀ ଅବବାହିକାରୁ ଠାବ ହୋଇଛି ୩୭୦୦୦ ବର୍ଷ ପୂର୍ବର ଏହି କଣ୍ଟା ବାଉଁଶ ଜୀବାଶ୍ମ। ଏଥିରେ କଣ୍ଟା ନିଶ୍ଚିହ୍ନ ହୋଇଯାଇଥିବା ବେଳେ ଏହା କଣ୍ଟା ବାଉଁଶ ଜୀବାଶ୍ମ ବୋଲି ଜଣାପଡ଼ିଛି। ଏହି ବାଉଁଶ ଫମ୍ପା ଓ ଏବଂ ତନ୍ତୁମୟ ଟିସୁଗୁଡ଼ିକ ଦ୍ରୁତ ଗତିରେ କ୍ଷୟ ପାଏ। ତେଣୁ ଏହାର ଜୀବାଶ୍ମ ଖୁବ୍ ବିରଳ।
ମଣିପୁରର ଇମ୍ଫାଲ ଉପତ୍ୟକାର ଚିରାଙ୍ଗ ନଦୀର ଅବବାହିକାରେ ସର୍ଭେ ସମୟରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର (DST) ଏକ ସ୍ୱୟଂଶାସିତ ପ୍ରତିଷ୍ଠାନ ବିରବଲ ସାହାଣୀ ଇନଷ୍ଟିଚ୍ୟୁସନ ଅଫ୍ ପାଲେଓସାଇନ୍ସ (BSIP) ର ବୈଜ୍ଞାନିକମାନେ ଏହି ବାଉଁଶ ଜୀବାଶ୍ମକୁ ପାଇଥିଲେ। ଏହି ଜୀବାଶ୍ମ ଉପରେ ପରୀକ୍ଷାନିରୀକ୍ଷା କରୁଛନ୍ତି ବୈଜ୍ଞାନିକ।
ହିମ ଯୁଗରେ ମଧ୍ୟ ଏସିଆରେ ବାଉଁଶ ଥିଲା। ତୃଣଭୋଜୀ ପ୍ରାଣୀଙ୍କଠାରୁ ରକ୍ଷା ପାଇବା ପାଇଁ ବାଉଁଶରେ କଣ୍ଟା ବିକଶିତ ହୋଇଥିଲା। ହିମ ଯୁଗରେ ଅତି ନିମ୍ନ ତାପମାତ୍ରା ଏବଂ ଶୁଷ୍କ ବାତାବରଣ ଯୋଗୁଁ ୟୁରୋପ ସମେତ ପୃଥିବୀର ଅଧିକାଂଶ ସ୍ଥାନରୁ ଏହି ବାଉଁଶ ଲୋପ ପାଇଯାଇଥିବା ବେଳେ ଭାରତର ଉତ୍ତର ପୂର୍ବାଞ୍ଚଳର ଉଷ୍ମ ଏବଂ ଆର୍ଦ୍ର ଜଳବାୟୁ ଏହାକୁ ବଢ଼ିବାକୁ ସୁରକ୍ଷିତ ପରିବେଶ ଯୋଗାଇଥିଲା ବୋଲି ସ୍ପଷ୍ଟ ହୋଇଛି।
ଏଭଳି ଆବିଷ୍କାରକୁ ଉଦ୍ଭିଦ ବିଜ୍ଞାନ ଏବଂ ଜୀବାଶ୍ମ ଗବେଷଣାରେ ଏକ ମାଇଲଖୁଣ୍ଟ ବୋଲି ବିଶ୍ୱାସ କରାଯାଉଛି। ଏହା ମିଳିବା ଉଦ୍ଭିଦ ବିଜ୍ଞାନ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ।