ନୋ ଲିମିଟ୍ ବାର୍ରେ ଭୟାବହ ଅଗ୍ନିକାଣ୍ଡ
ବ୍ୟାପକ କ୍ଷୟକ୍ଷତି, ତଦନ୍ତ ଦାବି କଲେ ମାଲିକ
ବିନା ଲାଇସେନ୍ସରେ ଚାଲୁଥିଲା ବାର୍
ଭୁବନେଶ୍ୱର, ୧୨/୧୨: ଗତ କିଛି ଦିନ ତଳେ ଗୋଆରେ ଏକ କ୍ଲବରେ ନିଆଁ ଲାଗି ୨୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଏକାଧିକ ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି ଘଟଣାର ପୁନରାବୃତ୍ତି ଘଟିଛି ଭୁବନେଶ୍ୱରରେ। ଭୁବନେଶ୍ୱର ସତ୍ୟବିହାର ସ୍ଥିତ ନୋ ଲିମିଟ୍ ବାର୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ୍ ଲାଗି ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି। ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିବା ଚିଫ୍ ଫାୟାର ଅଫିସର ରମେଶ ମାଝୀ ସୂଚନା ଦେଇଛନ୍ତି। ନିଆଁ ଲିଭା କାର୍ଯ୍ୟରେ ୨ ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ। ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା। ୯ଟା ୧୫ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇନି, ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଛି ବୋଲି କହିଛନ୍ତି।
ସେପଟେ ବିନା ଲାଇସେନ୍ସରେ ବାର୍ ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏ ବାର୍ କୁ ଲାଇସେନ୍ସ ମିଳିଥିଲା କି ନାହିଁ ତଦନ୍ତ କରାଯାଉ। ଏଠି ଅସାମାଜିକ ଲୋକ ଆସୁଥିଲେ। ଏଠିକୁ ଯିଏ ଆସୁଥିଲା ସିଏ ଆମକୁ ନାଲି ଆଖି ଦେଖାଉଥିଲା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।
ଏହି ନୋ ଲିମିଟ୍ ବାର୍କୁ ଲାଇସେନ୍ସ ମିଳିନଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାର୍ ମାଲିକ କହିଛନ୍ତି, “ଆମର ସବୁ ଲାଇସେନ୍ସ ଅଛି। ପାରାଡାଇଜ୍ ହୋଟେଲରୁ ନିଆଁ ବ୍ୟାପି ବାର୍ରେ ଲାଗିଛି। ହୋଟେଲ୍ରେ ଏସି ଲଗାଇବା ବେଳେ ସର୍ଟ ସର୍କିଟ୍ରୁ ନିଆଁ ବ୍ୟାପିଛି। ଅଗ୍ନିକାଣ୍ଡରେ ବାର୍ର ବ୍ୟାପକ କ୍ଷୟକ୍ଷତି ହୋଇଛି, ତଦନ୍ତ ହେଉ ବୋଲି ଦାବି କରିଛନ୍ତି।