ଭୁବନେଶ୍ୱର, ୧୨/୧୨: ରାଜଧାନୀ ଭୁବନେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ଗୁରୁତର ଅବସ୍ଥାରେ ନାବାଳିକା ଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅଭିଯୁକ୍ତ ଘର ମାଲିକଙ୍କୁ ଗିରଫ କରିଛି ପୋଲିସ।
ମହିଳା ଥାନାରେ ଦାଖଲ ହୋଇଥିବା ଅଭିଯୋଗ ଅନୁଯାୟୀ, ଗଞ୍ଜାମ ଅଞ୍ଚଳର ଏକ ଦମ୍ପତି ତାଙ୍କ ନାବାଳିକା ଝିଅ ସହିତ ଭୁବନେଶ୍ୱରରେ ଘର ଭଡ଼ା ନେଇ ରୁହନ୍ତି। ଗତ ଗୁରୁବାର ଦିନ ବାପା ମା ଘରେ ନଥିବା ବେଳେ ଏହାର ସୁଯୋଗ ନେଇ ଘର ମାଲିକ ଉକ୍ତ ନାବାଳିକା ଝିଅକୁ ଦୁଷ୍କର୍ମ କରିଛି। ଗୁରୁତର ଅବସ୍ଥାରେ ନାବାଳିକା ପୀଡିତାଙ୍କୁ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ପରେ, ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଛି।
ତେବେ ଏହା ପୂର୍ବରୁ ବି ଉକ୍ତ ଘର ମାଲିକ ଜଣକ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ପ୍ରଥମେ ଗତ ୪ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ପାନ ଦୋକାନୀ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ ଉଦ୍ୟମ କରିଥିଲା। କିନ୍ତୁ ନାବାଳିକା ପାଟି କରିବାରୁ ଖସି ପଳାଇଥିଲା।
ଏ ସମୟରେ ପୀଡିତାଙ୍କୁ ଭେଟିଛନ୍ତି ମହିଳା କମିଶନ ସଦସ୍ୟା। ପୀଡିତା ଓ ପରିବାର ଲୋକଙ୍କୁ ଭେଟି ବୟାନ ରେକର୍ଡ କରିଛନ୍ତି।