ଭୁବନେଶ୍ବର, ୧୨/୧୨:ଚନ୍ଦ୍ରଶେଖରପୁର ନୀଳମାଧବ ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ଆଜି ବିଡିଏ ପକ୍ଷରୁ କେୟାର ହସ୍ପିଟାଲ୍ ନିକଟ ନୀଳମାଧବ ବସ୍ତି(ପ୍ୟାଚ୍-ବି)ରେ ଜବରଦଖଲ ଉଚ୍ଛେଦ କରାଯାଇଛି। ବସ୍ତିବାସିନ୍ଦାଙ୍କ ଜୋରଦାର ବିରୋଧ ସତ୍ତ୍ବେ ୧୨୦ଟି ଆଜ୍ବେଷ୍ଟସ୍ ଘର ଭଙ୍ଗାଯାଇଛି। ତା’ ସହିତ ପାଇଖାନା ଓ ଗାଧୁଆଘର ଉଚ୍ଛେଦ ହୋଇଛି। ଏଥିରେ ୮୦ ପରିବାରଙ୍କ ଘର ଭାଙ୍ଗିଛି। ବାକି ୫୦ ପ୍ରତିଶତ ଆସନ୍ତାକାଲି ପୁଣି ଥରେ ଉଚ୍ଛେଦ କରାଯିବ। ଯେଉଁ ସବୁ ପରିବାର ଆଜି ଉଚ୍ଛେଦ ହୋଇଛନ୍ତି ଓ ଆସନ୍ତାକାଲି ଉଚ୍ଛେଦ ହେବେ ସେମାନଙ୍କୁ ବହୁ ପୂର୍ବରୁ କନ୍ୟାଶ୍ରମ ନିକଟ ଟ୍ରାଞ୍ଜିଟ୍ ହାଉସରେ ଥଇଥାନ କରାଯାଇଛି। ଆଜି ପ୍ରାୟ ଅଧ ଏକର ଜାଗା ଖାଲି କରାଯାଇଛି। ଆସନ୍ତାକାଲି ସମ୍ପୂର୍ଣ୍ଣ ଉଚ୍ଛେଦ ହେଲେ ଏଠାରେ ଘର ନିର୍ମାଣ କରାଯାଇ ପ୍ରଦାନ କରାଯିବ।
ଆଜିର ଉଚ୍ଛେଦରେ ୨ଟି ଜେସିବି ବିଡିଏ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଚନ୍ଦ୍ରଶେଖରପୁର ପୁଲିସ ସମେତ ୨ପ୍ଲାଟୁନ୍ ପୁଲିସ ଫୋର୍ସ ଓ ଏକ ପ୍ଲାଟୁନ୍ ମହିଳା ପୁଲିସ ସହାୟତାରେ ଏହି ଉଚ୍ଛେଦ ହୋଇଛି। ବିଡିଏ ଯୁଗ୍ମଆୟୁକ୍ତ(ଏନ୍ଫୋର୍ସମେଣ୍ଟ) ରଞ୍ଜନ ଜେନାଙ୍କ ନେତୃତ୍ବରେ ଏନ୍ଫୋର୍ସମେଣ୍ଟ ଓଏସ୍ଡି ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଜୋନାଲ୍ ଏସିପି ସୋନାଲି ସିଂ ପାରମର, କନିଷ୍ଠ ଏନ୍ଫୋର୍ସମେଣ୍ଟ ଅଫିସର ସିଦ୍ଧାନ୍ତ ସାହୁ(ଓମାସ୍), ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଗିରିଶ ମହାରଣା, ୧ ରୁ ୬ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଏହି ଉଚ୍ଛେଦରେ ସାମିଲ୍ ହୋଇଥିଲେ।