ୟୁଏଲଏ ମଡେଲ୍ ଅଧୀନରେ ରୁଫ ଟପ୍ ସୋଲାର୍ ଗ୍ରହଣକୁ ତ୍ୱରାନ୍ୱିତ କରୁଛି ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍
୭୦% ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ରେ ୯୦% ହ୍ରାସ
ସ୍ମାର୍ଟ ମିଟର ସଂଯୋଗ ଏବଂ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ଓଡ଼ିଶାରେ ରୁଫ୍ ଟପ୍ ସୋଲାର ଗ୍ରହଣୀୟତାରେ ଆଣିଛି ଦ୍ରୁତ ବୃଦ୍ଧି
ଭୁବନେଶ୍ୱର, ୧୩/୧୨: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଗୁଡିକରେ ୟୁଟିଲିଟି-ଲେଡ୍ ଆଗ୍ରିଗେସନ୍ (ୟୁଏଲଏ) ମଡେଲ ଅଧୀନରେ ରୁଫ୍ଟପ୍ ସୋଲାର ଗ୍ରହଣ କରିବାରେ ବ୍ୟାପକ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ରାଜ୍ୟରେ ମୋଟ ରୁଫ୍ଟପ୍ ସୋଲାର ସଂଯୋଗ ସଂଖ୍ୟା ୨୧୦୦ ଅତିକ୍ରମ କରିଛି । ପ୍ରାରମ୍ଭିକ ଉପଭୋକ୍ତା ଫଳାଫଳରୁ ଜଣାପଡିଛି ଯେ ଅଂଶଗ୍ରହଣକାରୀ ପରିବାର ମଧ୍ୟରୁ ୭୦% ପରିବାରର ବିଦ୍ୟୁତ ବିଲ୍ରେ ୯୦% ହ୍ରାସ ଘଟିଛି ଏବଂ କାର୍ଯ୍ୟକାରୀ ହେବାର ପ୍ରଥମ ମାସ ମଧ୍ୟରେ ପ୍ରାୟ ୩୦୦ ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ ‘ଶୂନ’ ଆସିଛି, ଯାହା ଏହି ପଦକ୍ଷେପର ତୁରନ୍ତ ଆର୍ôଥକ ପ୍ରଭାବକୁ ଦର୍ଶାଉଛି ।
ଓଡ଼ିଶା ସରକାରଙ୍କ ମାର୍ଗଦର୍ଶନରେ କେବଳ ଓଡ଼ିଶାରେ ଆରମ୍ଭ ହୋଇଥିବା ଏହି ୟୁଏଲଏ ମଡେଲ ଘରୋଇ ରୁଫ୍ଟପ୍ ସୋଲାର ଯୋଗାଣ କ୍ଷେତ୍ରରେ ଏକ ଗଠନମୂଳକ ପରିବର୍ତ୍ତନର ପ୍ରତିନିଧିତ୍ୱ କରୁଛି । ବର୍ତ୍ତମାନ, ଏଥିପାଇଁ ଦେୟଯୋଗ୍ୟ ପ୍ରବେଶ ମୂଲ୍ୟ ପୂର୍ବରୁ ଥିବା ୫,୦୦୦ ଟଙ୍କାରୁ ୧,୮୭୫ ଟଙ୍କାକୁ କମିଯାଇଛି, ଯାହା ଉପଭୋକ୍ତାଙ୍କ ପ୍ରାରମ୍ଭିକ ଖର୍ଚ୍ଚକୁ ୬୨.୫% ହ୍ରାସ କରି ଏହାକୁ ଗ୍ରହଣ କରିବାରେ ଥିବା ବାଧାକୁ ଯଥେଷ୍ଟ କମାଇ ଦେଇଛି । ପ୍ରାରମ୍ଭିକ ଖର୍ଚ୍ଚରେ ଏହି ହ୍ରାସ ରାଜ୍ୟର ସହରାଞ୍ଚଳ, ଅର୍ଦ୍ଧ-ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ବ୍ୟାପକ ଅଂଶଗ୍ରହଣକୁ ସକ୍ଷମ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ।
ୟୁଏଲଏ ମଡେଲର ସଫଳତାର ଏକ ମୁଖ୍ୟ କାରଣ ହେଉଛି ରୁଫ୍ଟପ୍ ସୋଲାର ସିଷ୍ଟମ ସହିତ ସ୍ମାର୍ଟ ମିଟରର ସଂଯୋଗ, ଯାହା ଉପଭୋକ୍ତାମାନଙ୍କୁ ବଳକା ବିଦ୍ୟୁତକୁ ନିରବଚ୍ଛିନ୍ନ ଭାବରେ ଗ୍ରୀଡ୍କୁ ପଠାଇବାକୁ ଅନୁମତି ଦେଇଥାଏ । ଏହି ସଂଯୋଗ ସଠିକ୍ ଶକ୍ତି ହିସାବ, ଦ୍ରୁତ ସମାଧାନ ଏବଂ ଉନ୍ନତ ଉପଭୋକ୍ତା ବିଶ୍ୱାସ ସୁନିଶ୍ଚିତ କରିବା ସହିତ ଗ୍ରୀଡ୍ ଦକ୍ଷତାକୁ ସୁଦୃଢ କରିଥାଏ ଏବଂ ବିକେନ୍ଦ୍ରୀକୃତ ବିଦ୍ୟୁତ ଉତ୍ପାଦନକୁ ସମର୍ଥନ କରିଥାଏ ।
ଡିସକମ୍ ନେତୃତ୍ୱରେ ପରିଚାଳିତ ଏହି ବ୍ୟବସ୍ଥା ରୁଫ୍ଟପ୍ ସୋଲାର ଲଗାଇବା ପ୍ରକ୍ରିୟାକୁ ଖୁବ୍ ସହଜ କରିଦେଇଛି । ଏହି ବ୍ୟବସ୍ଥାରେ ଭେଣ୍ଡର ଚୟନ ଠାରୁ ଆରମ୍ଭ କରି ଇନଷ୍ଟଲେସନ୍, ଗୁଣବତ୍ତା ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ଗୋଟିଏ ସ୍ଥାନରୁ ପରିଚାଳିତ ହେଉଛି । ଏହା ଦ୍ୱାରା ଖର୍ଚ୍ଚ, କାର୍ଯ୍ୟର ଜଟିଳତା ଏବଂ ସେବାକୁ ନେଇ ଗ୍ରାହକଙ୍କ ମନରେ ରହିଥିବା ବହୁ ପୁରୁଣା ଆଶଙ୍କା ଦୂର ହୋଇପାରିଛି । ଫଳସ୍ୱରୂପ, ଏହି ଯୋଜନା ଆରମ୍ଭ ହେବାର ଖୁବ୍ କମ୍ ଦିନ ମଧ୍ୟରେ ଉପଭୋକ୍ତାଙ୍କ ପକ୍ଷରୁ ବେଶ୍ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି ।
ୟୁଏଲଏ ମଡେଲ୍ ଅଧୀନରେ ରୁଫ୍ଟପ୍ ସୋଲାରର ସମ୍ପ୍ରସାରଣ ‘ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜିଲି ଯୋଜନା’ର ଲକ୍ଷ୍ୟ ସହିତ ଘନିଷ୍ଠ ଭାବରେ ଜଡିତ, ଯାହା ବିକେନ୍ଦ୍ରୀକୃତ ସୌର ଶକ୍ତି ମାଧ୍ୟମରେ ପରିବାରଗୁଡିକୁ ସଶକ୍ତ କରିବା, ବିଦ୍ୟୁତ ଖର୍ଚ୍ଚ ହ୍ରାସ କରିବା ଏବଂ ଦୀର୍ଘସ୍ଥାୟୀ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି ।
ଏହି ଉପଲବ୍ଧି ସମ୍ପର୍କରେ ମତ ରଖି ଶ୍ରୀ ଗଜାନନ କାଲେ – ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍, ଟାଟା ପାୱାର ଏବଂ ସିଇଓ, ଟିପିଏନ୍ଓଡିଏଲ୍ କହିଛନ୍ତି ଯେ, “ୟୁଏଲଏ ମଡେଲ୍ ହେଉଛି ଟାଟା ପାୱାର ପରିଚାଳିତ ଓଡ଼ିଶା ଡିସକମ୍ ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମର ଏକ ଉତ୍କୃଷ୍ଟ ଉଦାହରଣ, ଯାହାର ଲକ୍ଷ୍ୟ ହେଉଛି ରୁଫ୍ଟପ୍ ସୋଲାରକୁ ଶସ୍ତା, ନିର୍ଭରଯୋଗ୍ୟ ଏବଂ ସମସ୍ତଙ୍କ ପାଖରେ ପହଞ୍ଚାଇବା । ଡିସକମ୍ ଗୁଡିକ ଦ୍ୱାରା ପରିଚାଳିତ ଏହି ସ୍ୱଚ୍ଛ ଶକ୍ତି ସମାଧାନ ଉପରେ ଉପଭୋକ୍ତାମାନେ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି, ତାହା ଉତ୍ସାହଜନକ । ଆରମ୍ଭରୁ ହିଁ ଅନେକ ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ ‘ଶୂନ’ ଆସିବା ସ୍ପଷ୍ଟ ପ୍ରମାଣ କରୁଛି ଯେ, ରୁଫ୍ଟପ୍ ସୋଲାର କିଭଳି ସିଧାସଳଖ ଆର୍ଥିକ ଲାଭ ଦେବା ସହ ଓଡ଼ିଶାକୁ ସବୁଜ ଶକ୍ତି ଆଡକୁ ଅଗ୍ରସର କରାଉଛି ।
ରାଜ୍ୟର ଚାରୋଟି ୟୁଟିଲିଟି ମଧ୍ୟରୁ ରୁଫ୍ଟପ୍ ସୋଲାର ସଂଯୋଗ କ୍ଷେତ୍ରରେ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ) ସବୁଠାରୁ ଆଗରେ ରହିଛି । ସେହିପରି ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍), ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ମଧ୍ୟ ଏ ଦିଗରେ କ୍ରମାଗତ ଅଗ୍ରଗତି କରୁଛନ୍ତି । ଏହି ସମସ୍ତ ଡିସକମ୍ ମିଳିତ ଭାବେ ଓଡ଼ିଶାର ଶକ୍ତି କ୍ଷେତ୍ରକୁ ଅଧିକ ସ୍ୱଚ୍ଛ, ଗ୍ରାହକ-ଅନୁକୂଳ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।
ରୁଫ୍ଟପ୍ ସୋଲାର ସବସିଡି ପ୍ରଦାନ କ୍ଷେତ୍ରରେ ଓଡ଼ିଶାର ବ୍ୟବସ୍ଥା ଦେଶର ଅନ୍ୟତମ ଶ୍ରେଷ୍ଠ ବ୍ୟବସ୍ଥା ଭାବେ ପରିଗଣିତ ହେଉଛି । ଏଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହାୟତା ଯୋଗୁଁ ଉପଭୋକ୍ତାଙ୍କ ଖର୍ଚ୍ଚ ବହୁମାତ୍ରାରେ କମିଯାଇଛି, ଫଳରେ ସୌର ଶକ୍ତି ବ୍ୟବହାର କରିବା ଅଧିକ ସୁଲଭ ହୋଇପାରିଛି ଏବଂ ଘରୋଇ ଉପଭୋକ୍ତାମାନେ ଦ୍ରୁତ ଗତିରେ ଏହାକୁ ଆପଣାଉଛନ୍ତି ।