ଆଇଏମଆଇ ଭୁବନେଶ୍ଵର ପକ୍ଷରୁ ୧୩ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ
ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ
ଭୁବନେଶ୍ୱର, ୧୩/୧୨: ଆଇଏମଆଇ ଭୁବନେଶ୍ଵର ପକ୍ଷରୁ ଏହାର ୧୩ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି । ପିଜି ଡିପ୍ଲୋମା ଇନ୍ ମ୍ୟାନେଜମେଣ୍ଟ ଏବଂ ଫେଲୋ ପ୍ରୋଗ୍ରାମ୍ ଇନ୍ ମ୍ୟାନେଜମେଣ୍ଟ ( ଏଫପିଏମ୍)ର ସ୍ନାତକ ଛାତ୍ରଛାତ୍ରୀଙ୍କ ସମେତ ୧୯୪ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ମାଇଲଖୁଣ୍ଟ । ନିଶାନ ମୋଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୌରଭ ଭତ୍ସା ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଆଇଏମ୍ଆଇର ଡାଇରେକ୍ଟର ଜେନେରାଲ ଡ. ହିମାଦ୍ରି ଦାସ ଏଥିରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଉତ୍ସବ ପରଖଙ୍କୁ ତାଙ୍କ ଶିକ୍ଷାଗତ ରେକର୍ଡ ଏବଂ କ୍ୟାମ୍ପସ ଜୀବନର ଅବଦାନ ପାଇଁ ସ୍ୱର୍ଣ୍ଣ ପଦକ ସହିତ ଡଃ ରାମା ପ୍ରସାଦ ଗୋଏଙ୍କା ଶ୍ରେଷ୍ଠ ଛାତ୍ର ମେଡାଲ ପ୍ରଦାନ କରାଯାଇଥିଲା । ଦର୍ଶନା ମିଶ୍ରଙ୍କୁ ତାଙ୍କ ଶିକ୍ଷାଗତ ସଫଳତା ପାଇଁ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା । ପାଠ୍ୟକ୍ରମ ସହିତ ପାଠ୍ୟ-ବହିର୍ଭୁତ କାର୍ଯ୍ୟକଳାପ ପାଇଁ ଶ୍ଵେତା ଝା’ଙ୍କୁ ଡାଇରେକ୍ଟରଙ୍କ ପଦକ ପ୍ରଦାନ କରାଯାଇଥିଲା । ଏଥି ସହିତ ଗ୍ରୀଷ୍ମକାଳୀନ ଇଣ୍ଟର୍ନସିପ୍ ପ୍ରୋଜେକ୍ଟ ପୁରସ୍କାର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ପ୍ରିୟଙ୍କା ଜୟସ୍ଵାଲ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ଦ୍ବିତୀୟ ସ୍ଥାନରେ ଶାଶ୍ୱତ ପଟେଲ ଓ ଅରଫିନ୍ ଖାତୁନ ରହିଥିଲେ । ଆଇଏମ୍ଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଡଃ. ପି ସି ବିଶ୍ଵାଳ ସମାବେଶକୁ ସମ୍ବୋଧୂତ କରିବା ସହ ଆତ୍ମବିଶ୍ଵାସ, ଶୃଙ୍ଖଳା ଏବଂ ଉଦ୍ଦେଶ୍ୟବୋଧ ସହିତ ଉଦ୍ଭାସିତ ପ୍ରତିଭାବାନ ଯୁବ ବୃତ୍ତିଗତଙ୍କୁ ନେଇ ଗର୍ବ ଅନୁଭବ କରିଥିଲେ । ସେ ଅନୁଷ୍ଠାନର ନିରନ୍ତର ପ୍ରଗତି ଉପରେ ମଧ୍ୟ ଆଲୋକପାତ କରିଥିଲେ ଏବଂ ଏହି ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କରିଥିଲେ । ସେ ଫାକଲ୍ଟି ମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କର ନିଷ୍ଠା କେବଳ ପ୍ରତିଷ୍ଠାନର ଶିକ୍ଷାଗତ ମାନକୁ ଉନ୍ନତ କରିନାହିଁ ବରଂ ବିଶ୍ୱ ଶିକ୍ଷା କ୍ଷେତ୍ରରେ ଆଇଏମଆଇ ଭୁବନେଶ୍ୱରର ସ୍ଥାନକୁ ଆହୁରି ମଜଭୁତ କରିପାରିଛି ବୋଲି କହିଥିଲେ । ଆଇଏମଆଇ ଭୁବନେଶ୍ଵର ଭବିଷ୍ୟତରେ ଉନ୍ନତମାନର ଶିକ୍ଷା କ୍ଷେତ୍ରର ପରିବର୍ତ୍ତନ ପାଇଁ ଏକ ପ୍ରେରଣାଦାୟକ ଉତ୍ସ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ ।