ନୂଆଦିଲ୍ଲୀ, ୧୮/୧୨: କେନ୍ଦ୍ର ସରକାର ଗ୍ରାମୀଣ ଭାରତ ପାଇଁ ମନରେଗା ବିଲକୁ ବଦଳାଇ ଏକ ନୂତନ ନିଯୁକ୍ତି ବ୍ୟବସ୍ଥା, ‘ବିକଶିତ ଭାରତ – ନିଯୁକ୍ତି ଏବଂ ଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍, 2025’ (VB-GRAM G) ଆଣିଛନ୍ତି। ଆଜି ତାହା ଲୋକସଭାରେ ପାଳିତ ହୋଇଯାଇଛି। ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ବିଲ୍ ପାରିତ ହୋଇଛି।
ଏହି ନୂତନ ଆଇନ ଦଶନ୍ଧି ପୁରୁଣା MNREGA କୁ ବଦଳାଇବ। ନୂତନ ଆଇନ କେବଳ ନିଯୁକ୍ତି ପ୍ରଦାନ କରିବା ନୁହେଁ ବରଂ ଏକ ଆଧୁନିକ ଏବଂ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ଗ୍ରାମୀଣ ଭିତ୍ତିଭୂମିକୁ ସଂଯୋଜିତ କରିବା ପାଇଁ ଲକ୍ଷ୍ୟ ରଖିଛି।
ଆସନ୍ତୁ ଜାଣିବା ମନରେଗା ଓ ଭିବି-ଜି-ରାମ-ଜି ବିଲ୍ ମଧ୍ୟରେ ପାର୍ଥକ୍ୟ କ’ଣ:-
-ପୁରୁଣା ମନରେଗା ଆଇନ ଗ୍ରାମାଞ୍ଚଳ ଲୋକଙ୍କୁ ପ୍ରତିବର୍ଷ ଅତି କମରେ ୧୦୦ ଦିନର ଅଣକୁଶଳୀ କାମର ଗ୍ୟାରେଣ୍ଟି ଦେଇଥିଲା। ନୂତନ VB-GRAM G ବିଲ୍ ଏହି ସୀମାକୁ ୧୨୫ ଦିନକୁ ବୃଦ୍ଧି କରିଛି। ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ‘୨୦୪୭ ସୁଦ୍ଧା ବିକଶିତ ଭାରତ’ ଲକ୍ଷ୍ୟ ହାସଲ କରିବା। ପୁରୁଣା ଆଇନ କେବଳ ନିଯୁକ୍ତି ସୃଷ୍ଟି ଉପରେ ଧ୍ୟାନ ଦେଇଥିଲା, ନୂତନ ବିଲ୍ ଗ୍ରାମଗୁଡ଼ିକୁ ସମୃଦ୍ଧ, ସଶକ୍ତ ଏବଂ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଉଛି।
– ଚାଷୀମାନେ ପ୍ରାୟତଃ ଅଭିଯୋଗ କରୁଥିଲେ ଯେ ମନରେଗା ଯୋଗୁଁ ସେମାନେ ବିହନ ଏବଂ ଅମଳ ସମୟରେ କାମ ପାଇ ପାରୁନାହାଁନ୍ତି। ନୂତନ ବିଲରେ ଏହି ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଅଛି। ରାଜ୍ୟଗୁଡ଼ିକ ଦ୍ୱାରା ନିର୍ଦ୍ଧାରିତ ସର୍ବାଧିକ କୃଷି ଋତୁ (ପ୍ରାୟ ୬୦ ଦିନ) ସମୟରେ କୌଣସି କାମ କରାଯିବ ନାହିଁ। ଏହା ଚାଷ ପାଇଁ ଶ୍ରମିକଙ୍କ ଅଭାବ ଦୂର କରିବ। ରାଜ୍ୟ ସରକାରଗୁଡ଼ିକ ଏହି ୬୦ ଦିନର ଅବଧି ନିଜେ ସୂଚିତ କରିବେ।
– ପୂର୍ବରୁ କେନ୍ଦ୍ର ସରକାର ମନରେଗା ଅଧୀନରେ ୧୦୦% ମଜୁରୀ ପ୍ରଦାନ କରୁଥିଲେ, କିନ୍ତୁ ନୂତନ ଆଇନ ରାଜ୍ୟଗୁଡ଼ିକର ଅଂଶ ବଢ଼ିବ। ଉତ୍ତର-ପୂର୍ବ ଏବଂ ପାହାଡ଼ିଆ ରାଜ୍ୟଗୁଡ଼ିକ ପାଇଁ, କେନ୍ଦ୍ର ସରକାର ୯୦ ପ୍ରତିଶତ ଓ ରାଜ୍ୟ ସରକାର ୧୦ ପ୍ରତିଶତ ପାଣ୍ଠି ପ୍ରଦାନ କରିବେ। ଅନ୍ୟ ରାଜ୍ୟଗୁଡ଼ିକରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପାଣ୍ଠି ମଜୁରୀ ପ୍ରଦାନ କରିବେ। ବିଧାନସଭା ନଥିବା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ।
– ନୂତନ ଆଇନ ସ୍ୱଚ୍ଛତା ବୃଦ୍ଧି ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବ। ଉପସ୍ଥାନ ପାଇଁ ଏବେ ବାୟୋମେଟ୍ରିକ୍ ପ୍ରମାଣୀକରଣ ଆବଶ୍ୟକ ହେବ। ଯୋଜନା ଏବଂ ଠକେଇ ରୋକିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର କରାଯିବ। ପ୍ରତ୍ୟେକ କାର୍ଯ୍ୟ ସ୍ଥାନରେ ଏକ “ପବ୍ଲିକ୍ ବୋର୍ଡ” ସ୍ଥାପନ କରାଯିବ ଯାହା ଦ୍ୱାରା ଲୋକମାନେ କାର୍ଯ୍ୟ ସୂଚନା ଦେଖିପାରିବେ।
– ଯଦି କୌଣସି ବ୍ୟକ୍ତି କାମ ପାଇଁ ଆବେଦନ କରିବାର ୧୫ ଦିନ ମଧ୍ୟରେ ନିଯୁକ୍ତି ପାଆନ୍ତି ନାହିଁ, ତେବେ ସେ ବେକାରୀ ଭତ୍ତା ପାଇବା ପାଇଁ ହକଦାର ହେବେ। ଏହି ଭତ୍ତା ପ୍ରଥମ ୩୦ ଦିନ ପାଇଁ ତାଙ୍କ ମଜୁରୀର ଏକ ଚତୁର୍ଥାଂଶ ଏବଂ ତା’ପରେ ଅଧା ହେବ। ବ୍ଲକ ଏବଂ ଜିଲ୍ଲା ସ୍ତରରେ ଅଭିଯୋଗ ଶୁଣିବା ପାଇଁ ସପ୍ତାହରେ ନିର୍ଦ୍ଦିଷ୍ଟ ଦିନରେ ଅଭିଯୋଗ ଶୁଣିବେ।