ଲକ୍ଷ୍ନୌ, ୨୩/୧୨: ପ୍ରିୟ ଖାଦ୍ୟ ଥିଲା ଫାଷ୍ଟଫୁଡ। ହେଲେ, କିଏ ଜାଣିଥିଲା ସେହି ଖାଦ୍ୟ ହିଁ ଦିନେ ଜୀବନ ନେଇଯିବ ବୋଲି! ଫାଷ୍ଟଫୁଡ ନେଇଗଲା ଜୀବନ। ଉତ୍ତର ପ୍ରଦେଶର ଆମରୋହାରେ, ଜଣେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କ ଫାଷ୍ଟଫୁଡ୍ ପ୍ରତି ଆଗ୍ରହ ପାଇଁ ହିଁ ତାଙ୍କୁ ଜୀବନ ଦେବାକୁ ପଡିଛି।
ଚୌମିନ୍, ମ୍ୟାଗି, ପିଜା ଏବଂ ବର୍ଗର ଭଳି ଫାଷ୍ଟଫୁଡ୍ ଜିନିଷର ଅତ୍ୟଧିକ ଖାଇବା ଦ୍ୱାରା ତାଙ୍କ ଅନ୍ତନଳୀକୁ ସମ୍ପୂର୍ଣ୍ଣ ଖରାପ ହୋଇ ଯାଇଥିଲା। ଅନ୍ତନଳୀରେ ଛିଦ୍ର ହୋଇଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ଫଳରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ମୃତ ଛାତ୍ରୀ ଆହାନା (୧୬) ଆମରୋହା ସହରର ମୋହଲ୍ଲା ଆଫଗାନ ନିବାସୀ ଚାଷୀ ମନସୁର ଖାନଙ୍କ ଝିଅ ଥିଲେ। ସେ ସହରର ହାସମି ଗାର୍ଲ୍ସ ଇଣ୍ଟର କଲେଜରେ ୧୧ ଶ୍ରେଣୀ ଛାତ୍ରୀ ଥିଲେ। ପରିବାରରେ ତାଙ୍କ ମାଆ ସାରା ଖାନ, ଜଣେ ଭାଇ ଏବଂ ଦୁଇ ଭଉଣୀ ଅଛନ୍ତି।
ପରିବାର ସଦସ୍ୟଙ୍କ କହିବାନୁଯାୟୀ, ଆହାନାଙ୍କର ଫାଷ୍ଟଫୁଡ୍ ଖାଇବାର ଅଭ୍ୟାସ ଥିଲା। ବାରଣ ସତ୍ତ୍ୱେ ସେ ପ୍ରାୟତଃ ଚୌମିନ୍, ମ୍ୟାଗି, ପିଜା ଏବଂ ବର୍ଗର ଖାଉଥିଲେ। ସେପ୍ଟେମ୍ବର ମାସରେ ତାଙ୍କ ସ୍ୱାସ୍ଥ୍ୟ ବେଶୀ ଖରାପ ହେବାକୁ ଲାଗିଲା ଏବଂ ତାଙ୍କର ପ୍ରବଳ ପେଟ ଯନ୍ତ୍ରଣା ହେଲା।
ନଭେମ୍ବର ୩୦ ତାରିଖରେ ତାଙ୍କୁ ମୋରାଦାବାଦର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ପରୀକ୍ଷାରୁ ଜଣାପଡିଥିଲା ଯେ ତାଙ୍କ ଅନ୍ତନଳୀ ଏକାଠି ଲାଗି ରହିଛି ଏବଂ ଅନେକ ସ୍ଥାନରେ ଛିଦ୍ର ହୋଇଛି। ଡାକ୍ତର କହିଥିଲେ ଯେ, ଫାଷ୍ଟଫୁଡ୍ ଖାଇବା ଦ୍ବାରା ହିଁ ତାଙ୍କ ଅନ୍ତନଳୀ ଖରାପ ହୋଇଯାଇଥିଲା। ଛାତ୍ରୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା, ଯାହା ସଫଳ ହୋଇଥିଲା। ପ୍ରାୟ ୧୦ ଦିନ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହେବାକୁ ଲାଗିଲା। ଚାରି ଦିନ ପୂର୍ବେ, ଯେତେବେଳେ ତାଙ୍କ ଅବସ୍ଥା ପୁଣି ଖରାପ ହୋଇଗଲା, ତାଙ୍କ ପରିବାର ତାଙ୍କୁ ଦିଲ୍ଲୀର AIIMSକୁ ନେଇଗଲେ।
ପରିବାର ସଦସ୍ୟଙ୍କ ଅନୁଯାୟୀ, AIIMSରେ ଚିକିତ୍ସା ସମୟରେ ତାଙ୍କ ଅବସ୍ଥାରେ କିଛିଟା ଉନ୍ନତି ହୋଇଥିଲା ଏବଂ ସେ ଚାଲିବା ମଧ୍ୟ ଆରମ୍ଭ କରିଥିଲେ। କିନ୍ତୁ, ରବିବାର ରାତିରେ ହଠାତ୍ ତାଙ୍କ ଅବସ୍ଥା ଖରାପ ହୋଇଗଲା ଏବଂ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।