ଆଜିର ତାରିଖ ୨୫ ଡିସେମ୍ବର ୨୦୨୫
ସୁଶାସନ ଦିବସ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନକୁ ସମ୍ମାନ ଜଣାଇ ୨୦୧୪ ମସିହାରୁ ଏହି ଦିବସ ପାଳନ ହେଉଛି। ସୁଶାସନ ଦିବସର ଲକ୍ଷ୍ୟ ହେଉଛି ଭାରତୀୟ ଲୋକଙ୍କ ମଧ୍ୟରେ ସରକାରୀ ଦାୟିତ୍ୱ ବିଷୟରେ ସଚେତନତା ବୃଦ୍ଧି କରିବା। ସ୍ୱଚ୍ଛତା ଏବଂ ସୁଶାସନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପଦକ୍ଷେପ ଗ୍ରହଣ କରାଯାଏ।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ଅଟଳ ବିହାରୀ ବାଜପେୟୀ (୨୫ ଡିସେମ୍ବର ୧୯୨୪ – ୧୬ ଅଗଷ୍ଟ ୨୦୧୮), ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଭାରତ ରାଜନୀତିର ଅଜାତି ଶତ୍ରୁ ଥିଲେ ଅଟଳଜୀ। ଭାରତର ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ। ନରସିଂହ ରାଓଙ୍କ ପରେ, ଅଟଳ ବିହାରୀ ବାଜପେୟୀ ୧୯୯୬ରେ ମାତ୍ର ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପରେ, ସେ ୧୯୯୮ରେ ଅନୁଷ୍ଠିତ ନିର୍ବାଚନ ମାଧ୍ୟମରେ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଅଟଳ ବିହାରୀ ବାଜପେୟୀ ଅକ୍ଟୋବର ୧୯୯୯ରେ ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ସେ ଏହି କାର୍ଯ୍ୟକାଳକୁ ବହୁତ ସଫଳତାର ସହିତ ସମାପ୍ତ କରିଥିଲେ। ଏହା ପୂର୍ବରୁ, ସେ ଏପ୍ରିଲ ୧୯୯୯ ରୁ ଅକ୍ଟୋବର ୧୯୯୯ ପର୍ଯ୍ୟନ୍ତ କାମଚଳା ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ବିଜେତା ଭାବରେ ୨୩ ଡିସେମ୍ବର ୨୦୧୪ରେ ଭାରତୀୟ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଦ୍ୱାରା ଘୋଷଣା କରାଯାଇଥିଲା।
ଅଟଳଜୀ ଓଡ଼ିଶାର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଅଟଳୀଙ୍କ ନିଦର୍ଶନରେ ଏକବିଂଶ ଶତାବ୍ଦୀରେ ଓଡ଼ିଶାର ବିକାଶର ଏକ ନୂଆ ଧାରା ସୃଷ୍ଟି ହୋଇଥିଲା। ୧୯୯୯ ମସିହାର ମହାବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ଓଡ଼ିଶାର ପୁନଃନିର୍ମାଣ ପାଇଁ ଅଟଳଜୀଙ୍କ ପଦକ୍ଷେପ କୁ ଓଡ଼ିଶା ସର୍ବଦା ମନେ ରଖିବ। ଏହି ସମୟରେ ‘ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ’ ବୋଲି କହିଥିଲେ ଅଟଳଜୀ। ମହାବାତ୍ୟା ପ୍ରଭାବିତଙ୍କ ପାଇଁ ରିଲିଫ ସହ ପକ୍କା ଘର ଯୋଗାଇ ଦେଇଥିଲେ। ଓଡ଼ିଶାରେ ସ୍ବାସ୍ଥ୍ୟ ସେବାକୁ ସୁଗମ କରିବା ଉଦେଶ୍ୟରେ ଭୁବନେଶ୍ବରରେ ଏମ୍ସ ପାଇଁ ଘୋଷଣା କରିଥିଲେ। ୨୦୦୦ ମଇ ୨୪ ତାରିଖରେ ଅଟଳଜୀ ପାରାଦ୍ୱୀପଠାରେ ଭାରତୀୟ ତୈଳ ନିଗମ ବିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଓଡ଼ିଶାରେ ସ୍ୱର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପ ସ୍ଥାପନା କରିଥିଲେ ଅଟଳଜୀ। ଏହି ପ୍ରକଳ୍ପରେ ୪୦୦ କିଲୋମିଟର ରାଜପଥ ନିର୍ମାଣ କରାଯାଇଥିଲା। ଯାହା ବ୍ରହ୍ମପୁରରୁ ବାଲେଶ୍ୱର ପର୍ଯ୍ୟନ୍ତ ହୋଇଥିଲା। କେବିକେ ବିକାଶ ପାଇଁ ସେ ଆରମ୍ଭ କରିଥିଲେ ସ୍ୱତନ୍ତ୍ର ଯୋଜନା। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଥିଲେ। ଅଟଳୀଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଥିଲା।
୨. ମଦନ ମୋହନ ମାଲବ୍ୟ (୨୫ ଡିସେମ୍ବର ୧୮୬୧ – ୧୨ ନଭେମ୍ବର ୧୯୪୬), କେବଳ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଏବଂ ଶିକ୍ଷାବିତ୍ ନଥିଲେ, ବରଂ ଜଣେ ମହାନ ସମାଜ ସଂସ୍କାରକ ମଧ୍ୟ ଥିଲେ। ସେ ମନ୍ଦିରରେ ଦଳିତଙ୍କ ପ୍ରବେଶ ନିଷେଧ ଭଳି କୁକର୍ମ ବିରୁଦ୍ଧରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଥିଲେ। ୨୪ ଡିସେମ୍ବର ୨୦୧୪ରେ, ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କୁ ମରଣୋତ୍ତର ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଭାରତ ରତ୍ନ’ ପ୍ରଦାନ କରିଥିଲେ।
୩. ଗଙ୍ଗାନାଥ ଝା (୨୫ ଡିସେମ୍ବର ୧୮୭୨ – ୯ ନଭେମ୍ବର ୧୯୪୧), ସଂସ୍କୃତ ଭାଷାର ଜଣେ ମହାନ ବିଦ୍ୱାନ ଥିଲେ। ସେ ହିନ୍ଦୀ, ଇଂରାଜୀ ଏବଂ ମୈଥିଳୀ ଭାଷାରେ ଦାର୍ଶନିକ ବିଷୟ ଉପରେ ପୁସ୍ତକ ରଚନା କରିଛନ୍ତି। ତାଙ୍କର ଅନେକ ସ୍ମାରକୀ ମଧ୍ୟରେ, ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟର ‘ଗଙ୍ଗାନାଥ ଝା ଗବେଷଣା ପ୍ରତିଷ୍ଠାନ’ (ପ୍ରତିଷ୍ଠିତ ୧୭ ନଭେମ୍ବର ୧୯୪୩) ପ୍ରମୁଖ।
୪. ଡକ୍ଟର ମୁଖତାର ଅହମ୍ମଦ ଅନସାରୀ (୨୫ ଡିସେମ୍ବର ୧୮୮୦ – ୧୦ ମଇ ୧୯୩୬) ଜଣେ ପ୍ରସିଦ୍ଧ ଚିକିତ୍ସକ ଏବଂ ଜଣେ ପ୍ରସିଦ୍ଧ ଜାତୀୟତାବାଦୀ ମୁସଲିମ ନେତା ଥିଲେ, ଯିଏ ଭାରତୀୟ ଜାତୀୟ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ଏବଂ ବାରାଣସୀ (ପୂର୍ବରୁ ବନାରସ)ରେ ରହୁଥିଲେ। ସେ ଦିଲ୍ଲୀରେ ଜାତୀୟତାବାଦୀ ବିଶ୍ୱବିଦ୍ୟାଳୟ କାଶୀ ବିଦ୍ୟାପୀଠ ଏବଂ ଜାମିଆ ମିଲିଆ ପ୍ରତିଷ୍ଠା କରିବାରେ ଅବଦାନ ରଖିଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ଚକ୍ରବର୍ତ୍ତୀ ରାଜଗୋପାଳଚାରୀ (୧୦ ଡିସେମ୍ବର ୧୮୭୮ – ୨୫ ଡିସେମ୍ବର ୧୯୭୨), ଭାରତୀୟ ରାଜନୀତିର ଶୀର୍ଷ, ଯାହାକୁ ରାଜାଜୀ ମଧ୍ୟ କୁହାଯାଏ। ସେ ଜଣେ ଓକିଲ, ଲେଖକ, ରାଜନେତା ଏବଂ ଦାର୍ଶନିକ ଥିଲେ। ସେ ସ୍ୱାଧୀନ ଭାରତର ଦ୍ୱିତୀୟ ଗଭର୍ଣ୍ଣର ଜେନେରାଲ ଏବଂ ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ ଥିଲେ। ତାଙ୍କୁ ଆଧୁନିକ ଭାରତର ଇତିହାସର ‘ଚାଣକ୍ୟ’ ବୋଲି ବିବେଚନା କରାଯାଏ।
୨. ସତ୍ୟଦେବ ଦୁବେ (୧୯୩୬ – ୨୫ ଡିସେମ୍ବର ୨୦୧୧), ଜଣେ ଭାରତୀୟ ନାଟ୍ୟକାର, ଚିତ୍ରନାଟ୍ୟକାର, ଚଳଚ୍ଚିତ୍ର ଏବଂ ନାଟ୍ୟ ନିର୍ଦ୍ଦେଶକ ଥିଲେ। ସେ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ଏବଂ ଅନେକ ସ୍କ୍ରିପ୍ଟ ଲେଖିଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୮୯୨ – କନ୍ୟାକୁମାରୀରେ ସମୁଦ୍ର ମଧ୍ୟଭାଗରେ ଅବସ୍ଥିତ ଏକ ପଥର ଉପରେ ସ୍ୱାମୀ ବିବେକାନନ୍ଦ ତିନି ଦିନ ଧରି ଧ୍ୟାନ କରିଥିଲେ।
୧୯୨୪ – କାନପୁରରେ ପ୍ରଥମ ଅଖିଳ ଭାରତୀୟ କମ୍ୟୁନିଷ୍ଟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
୧୯୪୬ – ତାଇୱାନରେ ସମ୍ବିଧାନ ଗୃହୀତ ହୋଇଥିଲା।
୧୯୬୨ – ସୋଭିଏତ୍ ୟୁନିଅନ୍ ନୋଭାୟା ଜେମଲ୍ୟା ଅଞ୍ଚଳରେ ପରମାଣୁ ପରୀକ୍ଷଣ କରିଥିଲା।
୧୯୯୮ – ରୁଷ ଏବଂ ବେଲାରୁଷ ଏକ ମିଳିତ ଫେଡେରେସନ ଗଠନ ପାଇଁ ଏକ ଚୁକ୍ତି ସ୍ୱାକ୍ଷର କଲେ।
୨୫ ଡିସେମ୍ବର ୨୦୦୨ – ଚୀନ୍ ଏବଂ ବାଂଲାଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ହେଇଥିଲା।
୨୦୦୫ – ମରିସସରେ, ୪୦୦ ବର୍ଷ ପୂର୍ବେ ବିଲୁପ୍ତ ‘ଡୋଡୋ’ ପକ୍ଷୀର ଦୁଇ ହଜାର ବର୍ଷ ପୁରୁଣା ଅବଶେଷ ମିଳିଥିଲା।
୨୦୦୮ – ଭାରତ ଦ୍ୱାରା ମହାକାଶକୁ ପଠାଯାଇଥିବା ଚନ୍ଦ୍ରାୟନ-୧ର ୧୧ଟି ପେଲୋଡର ମଧ୍ୟରୁ ଗୋଟିଏ ଚନ୍ଦ୍ରର ଏକ ନୂତନ ଚିତ୍ର ପଠାଇଲା।