ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ

ଉଚ୍ଚଶିକ୍ଷାର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ବିଭାଗର ପଦକ୍ଷେପକୁ ପ୍ରଶଂସା କଲେ ରାଜ୍ୟପାଳ

ଭୁବନେଶ୍ୱର, ୨୬/୧୨: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁକ୍ରବାର ଲୋକ ଭବନରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶାରେ ଉଚ୍ଚ ଶିକ୍ଷାର ବର୍ତ୍ତମାନର ସ୍ଥିତି ଏବଂ ତଦ ସମ୍ପର୍କିତ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ରାଜ୍ୟପାଳଙ୍କୁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ କୁଳପତି ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ। ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା, ଯୋଗ୍ୟତା ଏବଂ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ରାଜ୍ୟପାଳଙ୍କୁ ମନ୍ତ୍ରୀ ଅବଗତ କରାଇଥିଲେ I ରାଜ୍ୟର ଉଚ୍ଚ ଶିକ୍ଷା ଅନୁଷ୍ଠାନମାନଙ୍କରେ ଶୈକ୍ଷିକ ବାତାବରଣ ଓ ଶାସନକୁ ସୁଦୃଢ଼ କରିବା, ଶୈକ୍ଷିକ ମାନ ଉନ୍ନତ କରିବା, ଆନୁଷ୍ଠାନିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଏବଂ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଶିକ୍ଷଣ ଓ ଅଧ୍ୟୟନର ଗୁଣାତ୍ମକତା ବୃଦ୍ଧି ନିମନ୍ତେ ଗ୍ରହଣ କରାଯାଇଥିବା ସଂସ୍କାରଗୁଡ଼ିକ ସମ୍ପର୍କରେ ମଧ୍ୟ ମାନ୍ୟବର ମନ୍ତ୍ରୀ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ।

ଏତତବ୍ୟତୀତ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଦିଗରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଆଲୋଚନା କରାଯାଇଥିଲା।

ଉଚ୍ଚଶିକ୍ଷା ବିଭାଗର ପଦକ୍ଷେପକୁ ପ୍ରଶଂସା କରିବା ସହ ଓଡ଼ିଶାରେ ଉଚ୍ଚଶିକ୍ଷାର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଶୈକ୍ଷିକ ଉତ୍କର୍ଷ, ପ୍ରଭାବୀ ଶାସନ ଏବଂ ଛାତ୍ର କୈନ୍ଦ୍ରିକ ଆଭିମୁଖ୍ୟ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।