କିଭ୍ ଉପରେ ଘନଘନ ଆକ୍ରମଣ, ବଡ଼ ଧରଣର ବିସ୍ଫୋରଣ

ଘରୁ ନ ବାହାରିବାକୁ ପରାମର୍ଶ, ସହରରେ ଏୟାର ରେଡ୍ ୱାର୍ଣ୍ଣିଂ ଜାରି

କିଭ୍, ୨୭/୧୨: ରୁଷ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଏକ ବଡ଼ ଆକ୍ରମଣ କରିଛି। ସାରା ସହରରେ ବିସ୍ଫୋରଣ ହୋଇଥିବା ଯୋଗୁଁ ସାରା ଦେଶରେ ଆଲର୍ଟ ଜାରି କରାଯାଇଛି।

ପ୍ରାୟ ଚାରି ବର୍ଷ ଧରି ଚାଲିଥିବା ଯୁଦ୍ଧର ସମାଧାନ ପାଇଁ ଏକ ଚୁକ୍ତିନାମାର ବିବରଣୀ ଉପରେ ଆଲୋଚନା କରିବା ପାଇଁ ରବିବାର ଫ୍ଲୋରିଡାରେ ହେବାକୁ ଥିବା ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକର ଗୋଟିଏ ଦିନ ପୂର୍ବରୁ ଏହି ଆକ୍ରମଣ ହୋଇଛି।

ଆକ୍ରମଣ ଯୋଗୁଁ ଟିମ୍ ର ମେୟର ଭିଟାଲି କ୍ଲିଟ୍ସକୋ ଲୋକମାନଙ୍କୁ ଆଶ୍ରସ୍ଥଳୀରେ ରହିବାକୁ ପରାମର୍ଶ ଦେଇଛନ୍ତି।

କିଭ୍ ଇଣ୍ଡିପେଣ୍ଡେଣ୍ଟ ରିପୋର୍ଟ ଅନୁଯାୟୀ , ରୁଷ ଅନେକ କିଞ୍ଜାଲ୍ ହାଇପରସୋନିକ୍ କ୍ଷେପଣାସ୍ତ୍ର, ଚାରୋଟି ଇସ୍କନ୍ଦର୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ କାଲିବ୍ର କ୍ରୁଜ୍ କ୍ଷେପଣାସ୍ତ୍ର ଉତ୍ କ୍ଷେପଣ କରିଛି।

ଆକ୍ରମଣରେ ରାଜଧାନୀ ସାରା ଅନେକ ବିସ୍ଫୋରଣ ଶୁଣାଯାଇଥିଲା ଏବଂ କିଭ୍‌ର ବ୍ରୋଭାରି ଏବଂ ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଥିଲା। ତେଣୁ ଏ ସମୟରେ ଏୟାର ଡିଫେନ୍ସ ବାହିନୀ ସତର୍କ ରହିବା ସହ ସାରା ସହରରେ ଏୟାର ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ସମୟରେ, ଜେଲେନସ୍କି କହିଛନ୍ତି ଯେ ଟ୍ରମ୍ପଙ୍କ ସହ ଆଲୋଚନା ୟୁକ୍ରେନ ପାଇଁ ଦୀର୍ଘକାଳୀନ ସୁରକ୍ଷା ଗ୍ୟାରେଣ୍ଟି ଏବଂ ଯୁଦ୍ଧ ପରେ ସ୍ଥିରତା ସୁନିଶ୍ଚିତ କରିବାରେ ଏହାର ସହଯୋଗୀଙ୍କ ଭୂମିକା ଉପରେ ଧ୍ୟାନ ଦେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା ଏବଂ ୟୁକ୍ରେନୀୟ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତାବିତ ୨୦-ସୂତ୍ରୀ ଶାନ୍ତି ଯୋଜନା ୯୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି।