ବରଗଡ଼ରେ ୫୦ ମିଟର ଇଣ୍ଡୋର୍ ସନ୍ତରଣାଗରର ଭିତ୍ତିପ୍ରସ୍ତର ସ୍ଥାପନ
ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ୍ ଉନ୍ନୟନ ପ୍ରକଳ୍ପ ସହ ସ୍ପୋର୍ଟସ କମ୍ପ୍ଲେକ୍ସର ଘୋଷଣା
ବରଗଡ଼, ୨୮/୧୨: ବରଗଡ଼ ଜିଲ୍ଲାର କ୍ରୀଡା ଢାଞ୍ଚାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସ୍ଥାନୀୟ ତୋରା ସ୍ଥିତ ଲା ଫ୍ଲୋରା ରେସୋର୍ଟ ପରିସରରେ ୫୦ ମିଟର ଲମ୍ବର ଏକ ଆଧୁନିକ ଇଣ୍ଡୋର୍ ସନ୍ତରଣାଗର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମାନ୍ୟବର କ୍ରୀଡା ଓ ଯୁବସେବା, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ତାଙ୍କ କରକମଳରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏହି ଅବସରରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ୍, ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ଓ ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ ଗଡତିଆ ପ୍ରମୁଖ ଉପସ୍ଥିତ ରହିଥିଲେ।
ତୋରା, ବରଗଡ଼ରେ ନିର୍ମିତ ହେବାକୁ ଯାଉଥିବା ୫୦ ମିଟର ଇଣ୍ଡୋର୍ ସନ୍ତରଣାଗର ପ୍ରକଳ୍ପର ପ୍ରାୟ ୨୩ କୋଟି ଟଙ୍କା ଅନୁମୋଦିତ ହୋଇଛି। ଏହି ପ୍ରକଳ୍ପରେ ଆଧୁନିକ ମାନକର ଏକ ୫୦ ମିଟର ସନ୍ତରଣାଗର ସହ ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ୍ ଚେଞ୍ଜିଂ ରୁମ୍ ଓ ଶୌଚାଳୟ ଭବନ, କାର୍ଯ୍ୟାଳୟ କକ୍ଷ, ବହୁଦ୍ଦେଶୀୟ କକ୍ଷ ଏବଂ ବାହ୍ୟ ଉନ୍ନୟନ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି। ବାହ୍ୟ ଉନ୍ନୟନରେ ଲ୍ୟାଣ୍ଡସ୍କେପିଂ, ଡ୍ରେନେଜ୍ ପ୍ରଣାଳୀ ଓ ପାର୍କିଂ ସୁବିଧା ନିର୍ମାଣ କରାଯିବ।
ଏହି ସନ୍ତରଣାଗର ନିର୍ମାଣ ଦ୍ୱାରା ବରଗଡ଼ ଜିଲ୍ଲାର କ୍ରୀଡାବିଦ୍ମାନେ ଆଧୁନିକ ଓ ଆନ୍ତର୍ଜାତୀୟ ମାନକର ଅଭ୍ୟାସ ସୁବିଧା ପାଇବେ ଏବଂ ରାଜ୍ୟ ସହ ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ସୁସଜ୍ଜିତ ହୋଇପାରିବେ।
ତୋରା, ବରଗଡ଼ରେ ନିର୍ମିତ ହେବାକୁ ଯାଉଥିବା ଏକ ସ୍ପୋର୍ଟସ୍ କମ୍ପ୍ଲେକ୍ସ ବିଷୟରେ ମଧ୍ୟ ମାନ୍ୟବର ମନ୍ତ୍ରୀ ସୂଚନା ଦେଇଥିଲେ। ଏହି ପ୍ରକଳ୍ପ ପାଇଁ ପ୍ରାୟ ୫୮ କୋଟି ଟଙ୍କା ବ୍ୟୟ କରିବା ପାଇଁ ଧାର୍ଯ୍ୟ କରାଯାଇଛି। ଏହି ବହୁମୁଖୀ କ୍ରୀଡା ସଂକୁଳରେ ଆଧୁନିକ ସୁବିଧାସହିତ କ୍ରିକେଟ୍, ଫୁଟବଲ୍ ମଇଦାନ ସହ ଫ୍ୟାସିଲିଟି ବିଲ୍ଡିଂ, ୮ ଲେନ୍ ବିଶିଷ୍ଟ ସିନ୍ଥେଟିକ୍ ଆଥ୍ଲେଟିକ୍ ଟ୍ରାକ୍, କ୍ରିକେଟ୍ ନେଟ୍ ପ୍ରାକ୍ଟିସ୍ ପିଚ୍, ବାସକେଟବଲ୍, ଭଲିବଲ୍, ଖୋ-ଖୋ, କବଡ଼ି ଓ ଦୁଇଟି ଟେନିସ୍ କୋର୍ଟ ସହ ବାହ୍ୟ ଉନ୍ନୟନ କାର୍ଯ୍ୟ ନିର୍ମାଣ କରାଯିବ। ଏହି ସ୍ପୋର୍ଟସ୍ କମ୍ପ୍ଲେକ୍ସ ବରଗଡ଼କୁ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ କ୍ରୀଡା କେନ୍ଦ୍ର ଭାବେ ଉଦ୍ଭାସିତ କରିବ ବୋଲି ଆଶା କରାଯାଉଛି।
ଏହି ଅବସରରେ ବରଗଡ଼ର ଲେଙ୍ଗୁ ମିଶ୍ର ମିନି
ଷ୍ଟାଡିୟମ୍ ଉନ୍ନୟନ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ମାନନୀୟ ମନ୍ତ୍ରୀ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ପ୍ରକଳ୍ପ ଅନ୍ତର୍ଗତ ଷ୍ଟାଡିୟମ୍ରେ ସ୍ପୋର୍ଟସ୍ ହାଇମାଷ୍ଟ LED ଲାଇଟ୍ ସ୍ଥାପନ କରାଯିବା ସହ ଖେଳ ମାଇଦାନର ଉନ୍ନୟନ ଓ ବାହ୍ୟ ଡ୍ରେନେଜ୍ ପ୍ରଣାଳୀକୁ ସୁଦୃଢ଼ କରାଯିବ।
ମାନ୍ୟବର କ୍ରୀଡା ମନ୍ତ୍ରୀ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଏହି ଦୁଇଟି ପ୍ରକଳ୍ପ ବରଗଡ଼ ଜିଲ୍ଲାର କ୍ରୀଡା ବିକାଶକୁ ନୂଆ ଦିଗ ଦେବ ଏବଂ ଯୁବପିଢ଼ିଙ୍କୁ କ୍ରୀଡା ପ୍ରତି ଆକର୍ଷିତ କରି ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।
ଉପସ୍ଥିତ ସମ୍ମାନନୀୟ ଅତିଥି ମାନେ ଏହି କ୍ରୀଡାମୁଖୀ ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ ସ୍ୱାଗତ ଜଣାଇ ବରଗଡ଼ ଜିଲ୍ଲା ପାଇଁ ଏହାକୁ ଏକ ମାଇଲ୍ସ୍ଟୋନ୍ ବୋଲି ଅଭିହିତ କରିଥିଲେ।