ଅନୁଗୋଳରେ ‘ସ୍ୱଚ୍ଛ, ସୁନ୍ଦର ଓ ସବୁଜ ଅନୁଗୋଳ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

• ବିଦ୍ୟୁତ, ପରିମଳ, ଶିକ୍ଷା ଓ ମହିଳା ଓ ଶିଶୁ କଲ୍ୟାଣ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରାୟ ୨୭.୬୩ କୋଟି ଟଙ୍କାର ୩୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ • ମ୍ୟୁନିସପାଲିଟିରେ କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କୁ ମୋବାଇଲ୍ ଫୋନ୍ ବିତରଣ କଲେ • ବଜାପରଡ଼ା ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଫଳ ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସମସ୍ତେ ଗୋଟିଏ ପାଦ ଆଗକୁ ବଢାଇବା: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ, ୨୮/୧୨: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ମ୍ୟୁନିସପାଲିଟି ଛକଠାରେ ଆୟୋଜିତ ‘ସ୍ୱଚ୍ଛ, ସୁନ୍ଦର ଓ ସବୁଜ ଅନୁଗୋଳ’ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶକୁ ସ୍ୱଚ୍ଛ ରଖିବାର ମହତ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ସେ ଅନୁଗୋଳ ପୌର ପରିଷଦ ଅନ୍ତର୍ଗତ ପ୍ରାୟ ୨୭.୬୩ କୋଟି ଟଙ୍କାର ୩୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

କେନ୍ଦ୍ର ସରକାରଙ୍କ “ସ୍ୱଚ୍ଛ ସର୍ବେକ୍ଷଣ – ମୋ ସହର, ମୋ ପରିଚୟ ୨୦୨୫-୨୬” କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସ୍ୱଚ୍ଛ ଭାରତ ଅଭିଯାନ’ ଆଜି ଏକ ବିଶାଳ ଜନ ଆନ୍ଦୋଳନରେ ପରିଣତ ହୋଇଛି । ସହରକୁ ସ୍ୱଚ୍ଛ ରଖିବା କେବଳ ପ୍ରଶାସନିକ କିମ୍ବା ସାମାଜିକ ସଂଗଠନର କାର୍ଯ୍ୟ ନୁହେଁ, ବରଂ ଏହା ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ । ଆମେ ସମସ୍ତେ ମିଶି ଯଦି ଗୋଟିଏ ପାଦ ଆଗକୁ ବଢାଇବା, ତେବେ ଆମ ସହର ସ୍ୱଚ୍ଛ ଓ ସୁନ୍ଦର ହୋଇପାରିବ । ଯେପରି ଆମେ ନିଜ ଘରକୁ ସଫା ରଖୁ, ସେହିଭଳି ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନକୁ ସ୍ୱଚ୍ଛ ରଖିବାକୁ ପଡ଼ିବ ।

ଆଜିର ଅବସରରେ ବିଦ୍ୟୁତ, ପରିମଳ, ଶିକ୍ଷା ଓ ମହିଳା ଓ ଶିଶୁ କଲ୍ୟାଣ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରାୟ ୨୭.୬୩ କୋଟି ଟଙ୍କାର ୩୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଡିଏମଏଫ ପାଣ୍ଠିରୁ ବିନିଯୋଗ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ଜୀବନଶୈଳୀରେ ବ୍ୟାପକ ସୁଧାର ଆଣିବ ବୋଲି ସେ କହିଥିଲେ ।

ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଶ୍ରୀ ପ୍ରଧାନ ଜିଲ୍ଲା ପ୍ରଶାସନକୁ ଏକ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ବ୍ୟାପକ ବୃକ୍ଷରୋପଣ ଏବଂ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । “ସ୍ୱଚ୍ଛ, ସୁନ୍ଦର ଓ ସବୁଜ ଅନୁଗୋଳ”ର ସ୍ୱପ୍ନ ସାକାର କରିବା ପାଇଁ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ସେ ନିବେଦନ କରିଛନ୍ତି ।

ସୂଚନା ଥାଉ କି, ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଗୋଳ ମ୍ୟୁନିସପାଲିଟିରେ କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କୁ ମୋବାଇଲ୍ ଫୋନ୍ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପରେ ଶ୍ରୀ ପ୍ରଧାନ ନିକଟସ୍ଥ ବଜାପରଡ଼ା ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ପଢୁଥିବା ପିଲାମାନଙ୍କ ଗହଣରେ କିଛି ସମୟ ଅତିବାହିତ କରିବା ସହ ସେମାନଙ୍କୁ ଫଳ ବିତରଣ କରିଥିଲେ । ସେ କହିଥିଲେ, ଅଙ୍ଗନବାଡ଼ି ଓ ସରକାରୀ ସ୍କୁଲର ପିଲାମାନଙ୍କୁ ଫଳ ସହ ପୁଷ୍ଟିକର ଖାଦ୍ୟ ବାଣ୍ଟିବା ଦ୍ୱାରା ସେମାନଙ୍କର ପୋଷଣ ଆବଶ୍ୟକତା ପୂରଣ ହୋଇପାରିବ । ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ । ସେମାନଙ୍କୁ ସୁସ୍ଥ ଓ ସବଳ ରଖିବା ପାଇଁ ଆମେ ସମସ୍ତେ ସାମୂହିକ ପ୍ରୟାସ କରିବା ।