ବେଙ୍ଗାଲୁରୁରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଦେବାଙ୍ଗ ସଂଘର ଶତାବ୍ଦୀ ସମାରୋହରେ ଯୋଗ ଦେଲେ । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ)ର ଅଧ୍ୟକ୍ଷଙ୍କୁ ଭେଟିଲେ ।

ଓବିସି ଏବଂ ବୁଣାକାର ସମ୍ପ୍ରଦାୟର ସଶକ୍ତିକରଣ ପାଇଁ ଆମ ସରକାର ପ୍ରତିବଦ୍ଧ: ଧର୍ମେନ୍ଦ୍ର ପ୍ରଧାନ

ବେଙ୍ଗାଲୁରୁ, ୦୪/୦୧: ଓବିସି ଏବଂ ବୁଣାକାର ସମ୍ପ୍ରଦାୟର ସଶକ୍ତିକରଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଆଜି ବେଙ୍ଗାଲୁରୁ ଠାରେ ଦେବାଙ୍ଗ ସଂଘର ଶତବାର୍ଷିକୀ ସମାରୋହ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେବାଙ୍ଗ ସମ୍ପ୍ରଦାୟ ଭାରତର ବୟନ ଶିଳ୍ପର ସଂରକ୍ଷକ । ଦେବାଙ୍ଗ ମହର୍ଷିଙ୍କ ପବିତ୍ର ପରମ୍ପରାକୁ ପାଥେୟ କରି ଏହି ସମ୍ପ୍ରଦାୟ ଶତାବ୍ଦୀ ଶତାବ୍ଦୀ ଧରି ଦେଶର ଅର୍ଥନୀତି ଓ ସଂସ୍କୃତିକୁ ସମୃଦ୍ଧ କରିଆସିଛି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ‘ଓବିସି କମିଶନ’କୁ ସାମ୍ବିଧାନିକ ମାନ୍ୟତା ଦେଇ ପଛୁଆ ବର୍ଗକୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛନ୍ତି । ‘ବୁଣାକାର ମୁଦ୍ରା ଯୋଜନା’ ଏବଂ ‘ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ’ ମାଧ୍ୟମରେ ବୁଣାକାରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ୨୦୪୭ ସୁଦ୍ଧା ଏକ ‘ବିକଶିତ ଭାରତ’ ଗଠନ ପାଇଁ ‘ସବ୍‌କା ସାଥ୍, ସବ୍‌କା ବିକାଶ’ର ମନ୍ତ୍ର ଅତ୍ୟନ୍ତ ଜରୁରୀ । ଦେବାଙ୍ଗ ସମ୍ପ୍ରଦାୟର ପରିଶ୍ରମ ଓ ନିଷ୍ଠା ଭାରତକୁ ବିଶ୍ୱର ଅଗ୍ରଣୀ ଅର୍ଥନୀତି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ) ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଡି.କେ. ସୁନୀଲଙ୍କ ମଧ୍ୟରେ ଏକ ସାରଗର୍ଭକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ସେ ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ହାଲର ଭୂମିକାକୁ ପ୍ରଶଂସା କରିଥିଲେ । କହିଥିଲେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଡିଜାଇନ୍, ଉନ୍ନତ ମାନର ମାନୁଫ୍ୟାକ୍ଚରିଂ ଏବଂ ବୈଷୟିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ହାଲ ନିରନ୍ତର କାର୍ଯ୍ୟ କରୁଛି ।

ସେହିପରି ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି କରୁଥିବା ସ୍ପେଶ ଫିଲ୍ଡର ଟିମକୁ ଭେଟିଥିଲେ । ସେ କହିଥିଲେ, ଓଡ଼ିଶାର ଯୁବକମାନେ ଭାରତର ଷ୍ଟାର୍ଟଅପ୍ ବିପ୍ଳବକୁ ଅଧିକ ଶକ୍ତିଶାଳୀ କରିବା ସହ ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛନ୍ତି । ଆମ ଯୁବପିଢ଼ିଙ୍କ ମଧ୍ୟରେ ଥିବା ପ୍ରତିଭା, ନବସୃଜନ ଏବଂ ଉଦ୍ୟୋଗୀ ମନୋଭାବ ଭାରତକୁ ‘ଡିପ୍-ଟେକ୍’ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଶକ୍ତି ଭାବେ ଉଭା କରିବ ।