ଭୁବନେଶ୍ୱର, ୦୪/୦୧: ୧୯୯୯ ମସିହାରେ ପଞ୍ଜିକୃତ ପ୍ରଜ୍ଞାନ ମିଶନ ପ୍ରାଚୀନ କ୍ରିୟା ଯୋଗର ପ୍ରଚାର ପ୍ରସାର ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା, ଗୋସେବା, ନଦୀ ପୁନଃରୁଦ୍ଧାର, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୀତା ଆବୃରି ଓ ଗୀତା ଜ୍ଞାନ ପରୀକ୍ଷା ଏବଂ ସର୍ବୋପରି ମାନବ ସେବାରେ ବ୍ରତୀ । ଭାଗବତ ଗୀତାର ପ୍ରଚାର ପ୍ରସାର ପାଇଁ ‘ଗୀତା ଜ୍ଞାନ ଯଜ୍ଞ’ ପ୍ରଜ୍ଞାନ ମିଶନର ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ । ପ୍ରତ୍ୟେକ ବର୍ଷ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଗୀତା ଜ୍ଞାନ ଯଜ୍ଞ ଅନୁଷ୍ଠିତ ହେଉଛି। ଜାନୁଆରୀ ୦୬ ତାରିଖରୁ ୦୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ଉତ୍କଳ ମଣ୍ଡପ( ରିଜର୍ଭ ବ୍ୟାଙ୍କ ସାମନା) ଠାରେ ‘ଗୀତାଜ୍ଞାନ ଯଜ୍ଞ’ ଅନୁଷ୍ଠିତ ହେବ। ଏହି ଗୀତା ଜ୍ଞାନ ଯଜ୍ଞରେ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ଶ୍ରୀମଦ ଭଗବତ ଗୀତାର ୪ର୍ଥ ଅଧ୍ୟାୟ ଜ୍ଞାନ କର୍ମ ସନ୍ୟାସ ଯୋଗ ଉପରେ ଆଶୀର୍ବଚନ ପ୍ରଦାନ କରିବେ । ଧାରାବାହିକ ରୂପରେ ଅନୁଷ୍ଠିତ ହେଉଥିବା ଏହି ଗୀତା ଜ୍ଞାନ ଯଜ୍ଞରେ ଗୁରୁଜୀ ଚତୁର୍ଥ ଅଧ୍ୟାୟର ୨୮ତମ ଶ୍ଳୋକରୁ ବ୍ୟାଖ୍ୟାନ ଦେବେ । ପ୍ରତ୍ୟହ ସନ୍ଧ୍ୟା ୫.୩୦ରୁ ୬.୩୦ ପର୍ଯ୍ୟନ୍ତ ଭଜନ କାର୍ଯ୍ୟକ୍ରମ ଓ ସନ୍ଧ୍ୟା ୬.୩୦ରୁ ୮.୩୦ ପର୍ଯ୍ୟନ୍ତ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୭ ତାରିଖ ସକାଳ ୮ଟା ସମୟରେ ଜୟଦେବ ବିହାର ଛକ ନିକଟସ୍ଥ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟରେ କ୍ରିୟା ଯୋଗ ଦୀକ୍ଷା ଆୟୋଜିତ ହେବ । ପ୍ରଜ୍ଞାନ ମିଶନର ବରିଷ୍ଠ ସନ୍ଥ ସ୍ଵାମୀ ଅନିର୍ବାଣାନନ୍ଦ ଗିରି ଲୋହିଆ ଏକାଡେମୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଵାମୀ ନିର୍ମଳାନନ୍ଦ ଗିରି, ସ୍ଵାମୀ ବିଜ୍ଞାନାନନ୍ଦ ଗିରି, ବ୍ରହ୍ମଚାରୀ ତୃପ୍ତାନନ୍ଦ ଉପସ୍ଥିତ ଥିଲେ। ପ୍ରଜ୍ଞାନ ମିଶନର ସେବାଦଳ ସାମ୍ବାଦିକ ସମ୍ମିଳନୀରେ ପରିଚାଳନାରେ ସହଯୋଗ କରିଥିଲେ।
Next Post