‘ଅନ୍ୱେଷା’ ଉତକ୍ଷେପଣ ବିଫଳ!

ନିୟନ୍ତ୍ରଣ ହରାଇ ଦିଗହରା ହେଲା ‘ଅନ୍ୱେଷା’

ଶ୍ରୀହରିକୋଟା, ୧୨/୦୧: ଆଜି ସକାଳ ୧୦ଟା ୧୮ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ISROର PSLV-C62 ରକେଟ୍ ସଫଳତାର ସହିତ ଉତ୍କ୍ଷେପଣ କରାଯାଇଛି। ଏହା ୨୦୨୬ ମସିହାର ପ୍ରଥମ ଉପଗ୍ରହ ଉତ୍କ୍ଷେପଣ ହୋଇଛି। ତେବେ ତୃତୀୟ ପର୍ଯ୍ୟାୟରେ PSLV-C62 ରକେଟ୍ ନିୟନ୍ତ୍ରଣ ହରାଇବା ଫଳରେ ‘ଅନ୍ୱେଷା’ ଦିଗହରା ହୋଇଛି। ଅନ୍ୱେଷା ରେ ଯାନ୍ତ୍ରିକ ତ୍ରୁଟି ଥିବା ଇସ୍ରୋ କହିଛି। ତେଣୁ କକ୍ଷପଥରେ ପହଞ୍ଚି ପାରିଲାନି ଅନ୍ୱେଷା।

ଏହି ରକେଟ୍ ମୁଖ୍ୟ ଉପଗ୍ରହ ଭାବରେ EOS-N1 (ଅନ୍ୱେଷା) ହାଇପରସ୍ପେକ୍ଟ୍ରାଲ୍ ଇମେଜିଂ ସାଟେଲାଇଟ୍‌କୁ ମହାକାଶକୁ ପଠାଇଥିଲା। ଏହା DRDO ଦ୍ୱାରା ବିକଶିତ ଏକ ଉନ୍ନତ ନିରୀକ୍ଷଣ ଉପଗ୍ରହ, ଯାହାକୁ ‘ଦିବ୍ୟ ଦୃଷ୍ଟି’ ବୋଲି କୁହାଯାଉଛି।

ଏହି ସାଟେଲାଇଟ୍ ଶତାଧିକ ସ୍ପେକ୍ଟ୍ରାଲ୍ ବ୍ୟାଣ୍ଡରେ ପୃଥିବୀକୁ ନିରୀକ୍ଷଣ କରିବାର କ୍ଷମତା ରଖିଛି, ଯାହା ପରିବେଶ ନିରୀକ୍ଷଣ, କୃଷି, ସହର ଯୋଜନା ଏବଂ ପରିବେଶ ସୁରକ୍ଷାରେ ବିପ୍ଳବ ଆଣିବ। ସେହିପରି ଏହା ଜାତୀୟ ପ୍ରତିରକ୍ଷା କ୍ଷେତ୍ରରେ ବି ବଡ଼ ଭୂମିକା ନିଭାଇବ, ଯେପରିକି ସୀମାନ୍ତରେ ଅନୁପ୍ରବେଶ ଓ ଅନ୍ୟାନ୍ୟ ଗତିବିଧିକୁ ସଠିକ୍ ଭାବେ ଚିହ୍ନଟ କରିବାରେ ସହାୟକ ହେବ।

ଏହି ମିଶନରେ EOS-N1 ସହିତ ଭାରତ ଓ ବିଦେଶରୁ ମୋଟ ୧୬ଟି ଛୋଟ ଉପଗ୍ରହ (co-passenger satellites) ମଧ୍ୟ ଉତ୍କ୍ଷେପଣ କରାଯାଇଛି। ଭାରତର ୭ଟି ଓ ୮ଟି ବିଦେଶୀ। ଏଥିମଧ୍ୟରୁ ଓଡ଼ିଶାର ପ୍ରଥମ ଘରୋଇ ଉପଗ୍ରହ CGUSAT-1 ମଧ୍ୟ। ଭୁବନେଶ୍ୱରସ୍ଥିତ ସି.ଭି. ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ଏକ ୩୧ ଜଣିଆ ଛାତ୍ର-ଛାତ୍ରୀ ଟିମ୍ ଏହାକୁ ନିର୍ମାଣ କରିଛନ୍ତି (Dhruva Space ସହଯୋଗରେ)।CGUSAT-1 ମୁଖ୍ୟତଃ ଜରୁରୀକାଳୀନ ପରିସ୍ଥିତି ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି।