ନୂଆଦିଲ୍ଲୀ, ୧୨/୦୧: ନିର୍ବାଚନ କମିଶନ ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ୍ ଅରୁଣ ପ୍ରକାଶଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି, ଯେଉଁଥିରେ ତାଙ୍କୁ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ (ଏସ୍ଆଇଆର୍) ଅଧୀନରେ ନିଜର ପରିଚୟ ପ୍ରମାଣ କରିବା ପାଇଁ ଉପସ୍ଥିତ ହେବାକୁ କୁହାଯାଇଛି।
ଅବସର ଗ୍ରହଣ ପରଠାରୁ ଗୋଆରେ ବାସ କରୁଥିବା ଆଡମିରାଲ୍ ଏହାକୁ ନେଇ କହିଛନ୍ତି ଯେ, ଯଦି ଏସ୍ଆଇଆର୍ ଫର୍ମଗୁଡ଼ିକ ଆବଶ୍ୟକୀୟ ସୂଚନା ସଂଗ୍ରହ କରିପାରୁନାହିଁ, ତେବେ ସେଗୁଡ଼ିକୁ ସଂଶୋଧନ କରାଯିବା ଉଚିତ୍।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପୂର୍ବତନ ନୌସେନା ମୁଖ୍ୟଙ୍କର ବ୍ୟକ୍ତିଗତ ବିବରଣୀ ଶେଷ ଥର ପାଇଁ ୨୦୦୨ରେ ଅପଡେଟ୍ ହୋଇଥିବା ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇନାହିଁ। ତେଣୁ ସେ “ଅନ୍ମ୍ୟାପ୍ଡ୍” (unmapped) ବର୍ଗରେ ରହିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଅନେକେ ପ୍ରଶ୍ନ ଉଠାଇଛନ୍ତି ଯେ, ପୂର୍ବତନ ନୌସେନା ମୁଖ୍ୟଙ୍କର ପିପିଓ (ପେନସନ୍ ପେମେଣ୍ଟ ଅର୍ଡର) ଏବଂ ଜୀବନ ପ୍ରମାଣପତ୍ର ପୂର୍ବରୁ ସରକାରୀ ଡାଟାବେସରେ ଉପଲବ୍ଧ ଥିବା ସତ୍ତ୍ୱେ ଏସ୍ଆଇଆର୍ ଦଳକୁ ଆଉ କ’ଣ ଅଧିକ ସୂଚନାର ଆବଶ୍ୟକତା ରହିଛି? ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ବୀରଚକ୍ର ପୁରସ୍କାର ପ୍ରାପ୍ତ ଆଡମିରାଲ୍ ପ୍ରକାଶଙ୍କୁ ପରିଚୟ ପ୍ରମାଣ ପାଇଁ ରିଟର୍ଣ୍ଣିଂ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ କୁହାଯାଇଛି।
ନୋଟିସ୍ ନେଇ ଅନଲାଇନ୍ରେ ଚର୍ଚ୍ଚା ଆରମ୍ଭ ହେବା ପରେ, ଆଡମିରାଲ୍ ପ୍ରକାଶ ‘ଏକ୍ସ’ରେ ଲେଖିଛନ୍ତି, “ମୁଁ କୌଣସି ବିଶେଷ ସୁବିଧାର ଆବଶ୍ୟକତା ରଖୁନାହିଁ କିମ୍ବା ଅବସର ପରଠାରୁ ୨୦ ବର୍ଷ ହେବ କେବେ କୌଣସି ଅନୁରୋଧ କରିନାହିଁ। ମୁଁ ଏବଂ ମୋ ପତ୍ନୀ ଆବଶ୍ୟକୀୟ ଏସ୍ଆଇଆର୍ ଫର୍ମ ପୂରଣ କରିଥିଲୁ ଏବଂ ନିର୍ବାଚନ କମିଶନଙ୍କ ୱେବସାଇଟରେ ଗୋଆର ୨୦୨୬ ଡ୍ରାଫ୍ଟ ଭୋଟର ତାଲିକାରେ ଆମର ନାମ ଦେଖି ଖୁସି ହୋଇଥିଲୁ। ତଥାପି ଆମେ ନିର୍ବାଚନ କମିଶନଙ୍କ ନୋଟିସ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”
ଅନ୍ୟ ଏକ ପୋଷ୍ଟରେ ସେ କହିଛନ୍ତି, “ମୁଁ ନିର୍ବାଚନ କମିଶନଙ୍କୁ ଜଣାଇବାକୁ ଚାହୁଁଛି ଯେ, ଯଦି ଏସ୍ଆଇଆର୍ ଫର୍ମଗୁଡ଼ିକ ଆବଶ୍ୟକୀୟ ସୂଚନା ସଂଗ୍ରହ କରିପାରୁନାହିଁ, ତେବେ ସେଗୁଡ଼ିକୁ ସଂଶୋଧନ କରାଯିବା ଉଚିତ୍। ବୁଥ୍ ଲେଭଲ ଅଫିସର (ବିଏଲ୍ଓ) ଆମ ଘରକୁ ତିନିଥର ଆସିଥିଲେ। ସେତେବେଳେ ସେମାନେ ଅତିରିକ୍ତ ସୂଚନା ମାଗିପାରିଥାନ୍ତେ। ଏବେ ମୋର ବୟସ ୮୨ ବର୍ଷ ଓ ମୋ ପତ୍ନୀଙ୍କର ୭୮ ବର୍ଷ। ଏଭଳି ବୟସରେ ଆମକୁ ୧୮ କିଲୋମିଟର ଦୂରରେ ଦୁଇଟି ଭିନ୍ନ ତାରିଖରେ ରିଟର୍ଣ୍ଣିଂ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ କୁହାଯାଇଛି।”
ଏହି ଘଟଣା ନେଇ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଟି.ଏସ୍. ଆନନ୍ଦ ଲେଖିଛନ୍ତି ଯେ, ଏହା ସମ୍ଭବତଃ ଏକ ସଫ୍ଟୱେର୍ ତ୍ରୁଟି ଯୋଗୁଁ ହୋଇଥାଇପାରେ। କିନ୍ତୁ ଏପରି ନୋଟିସ୍ ଆସିଲେ ଯେକୌଣସି ନାଗରିକ ନିଜର ଆଇନଗତ କାଗଜପତ୍ର ଦେଖାଇପାରିବେ, ଏଥିରେ କିଛି ଭୁଲ୍ ନାହିଁ। ଆଡମିରାଲ୍ ଅରୁଣ ପ୍ରକାଶଙ୍କ କ୍ଷେତ୍ରରେ ତାଙ୍କର ପିପିଓ କିମ୍ବା ଭେଟେରାନ୍ କାର୍ଡ ଯଥେଷ୍ଟ ପ୍ରମାଣ ହୋଇପାରେ। ପ୍ରୋଟୋକଲ୍ ଅନୁସାରେ ଏସ୍ଆଇଆର୍ ଦଳ ତାଙ୍କ ଘରକୁ ମଧ୍ୟ ଯାଇ ଯାଞ୍ଚ କରିପାରିବ।