ଭୟଙ୍କର ଦୁର୍ଘଟଣା: ଟ୍ରେନ୍ ଉପରେ ଖସି ପଡ଼ିଲା କ୍ରେନ

୨୨ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ବ୍ୟାଙ୍କକ, ୧୪/୦୧: ଥାଇଲ୍ୟାଣ୍ଡର ଉତ୍ତର-ପୂର୍ବ ଭାଗରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରାଜଧାନୀ ବ୍ୟାଙ୍କକ୍ ରୁ ଦେଶର ଉତ୍ତର-ପୂର୍ବ ଭାଗକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ନିର୍ମାଣାଧୀନ ରେଲୱେ ପ୍ରକଳ୍ପ କାମରେ ନିୟୋଜିତ କ୍ରେନ୍ ହଠାତ୍ ଉପରୁ ଖସିପଡ଼ିଯିବାରୁ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ ଜଣ ଗୁରୁତର ଆହତ ହୋଇଛନ୍ତି।

ବୁଧବାର ସକାଳେ ବ୍ୟାଙ୍କକ୍ ରୁ ୨୩୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ନାଖୋନ୍ ରାଟ୍ଚାସିମା ପ୍ରଦେଶର ଶିଖିଓ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍ ଟି ଉବୋନ୍ ରାଟ୍ଚାଥାନି ପ୍ରଦେଶକୁ ଯାଉଥିଲା।

ସ୍ଥାନୀୟ ପୋଲିସ କହିଛି ଯେ ହାଇ-ସ୍ପିଡ୍ ରେଳ ପ୍ରକଳ୍ପରେ କାମ ଚାଲିଛି। କାମ ସମୟରେ ଏକ କ୍ରେନ ଯାତ୍ରୀବାହୀ ଟ୍ରେନ ବଗି ଉପରେ ଖସିପଡ଼ିଥିଲା। ଯାହା ଫଳରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା ଏବଂ କିଛି ସମୟ ପାଇଁ ନିଆଁ ଲାଗିଯାଇଥିଲା। ନିଆଁ ଲିଭାଇ ଦିଆଯାଇଛି, ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଥାଇଲ୍ୟାଣ୍ଡ ରେଳବାଇ କହିଛି ଯେ, ନିର୍ମାଣ କ୍ରେନ୍ ଖସି ପଡ଼ିଥିବା ଟ୍ରେନ୍ ରେ ୧୯୫ ଜଣ ଲୋକ ଥିଲେ।