ଶ୍ରୀନଗର, ୧୬/୧୧: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ସୋମବାର ସୁରକ୍ଷାବାହିନୀଙ୍କ ସହ ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ମୃତ ଆତଙ୍କବାଦୀମାନେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା (ଏଲଇଟି) ସହ ଜଡ଼ିତ ଥିବା ସୂଚନା ମିଳିଛି। ଏଥିରେ ଲସ୍କରର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମହମ୍ମଦ ଲତିଫ ଭଟ୍ ମଧ୍ୟ ନିହତ ହୋଇଛି।
ଗତ ୧୧ ନଭେମ୍ବରରେ କୁଲଗାମ ଜିଲ୍ଲାର ଅଖରନ୍ ଅଞ୍ଚଳରେ ଥିବା ସିଆରପିଏଫ ଚେକ୍ ପୋଷ୍ଟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଗୁଳିକାଣ୍ଡରେ ସିଆରପିଏଫର ତିନି ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ଥିଲା। ଏହି ଆକ୍ରମଣ ପରେ ସୁରକ୍ଷାବାହିନୀ ପକ୍ଷରୁ ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଜୋରଦାର କରାଯାଇଥିଲା।
ଘଟଣାର ତଦନ୍ତ ସମୟରେ ଲସ୍କର-ଏ-ତୋଏବାର ସ୍ଥାନୀୟ ଆତଙ୍କବାଦୀ ମହମ୍ମଦ ଲତିଫ ଭଟ୍ଙ୍କ ସମ୍ପୃକ୍ତି ନେଇ ସନ୍ଦେହ ପ୍ରକାଶ ପାଇଥିଲା। ଏହାପରେ ସୁରକ୍ଷାବାହିନୀ ପକ୍ଷରୁ କୁଲଗାମର ବିଭିନ୍ନ ଅଞ୍ଚଳରେ ତଲାସୀ ଅଭିଯାନ ଚାଲିଥିଲା। ଶେଷରେ ସୋମବାର ସୁରକ୍ଷାବାହିନୀଙ୍କ ସହ ମୁହାଁମୁହିଁ ହେବା ପରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।
ସୂଚନାଯୋଗ୍ୟ, ସିଆରପିଏଫ ଉପରେ ଆକ୍ରମଣ ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ କୁଲଗାମରେ ବ୍ୟାପକ ତଲାସୀ ଅଭିଯାନ ଚଳାଇଥିଲେ। ଏହି ଘଟଣାରେ ୫୦୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଥିବା ବେଳେ ୨୦ ଜଣଙ୍କୁ ଅଟକ ରଖି ତଦନ୍ତ କରାଯାଇଥିଲା।