ହାଇଦ୍ରାବାଦ, ୧୪/୦୧: ତେଲେଙ୍ଗାନାର ଏକାଧିକ ଜିଲ୍ଲାରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି। ଗୋଟିଏ ସପ୍ତାହ ମଧ୍ୟରେ କିଛି ଗାଁରେ ୫୦୦ କୁକୁରଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। କେବଳ ହନମକୋଣ୍ଡା ଜିଲ୍ଲାରେ ପ୍ରାୟ ୩୦୦ ବୁଲା କୁକୁରଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ଗଣହତ୍ୟା ତିନି ଦିନ ଧରି, ଜାନୁଆରୀ ୬, ୭ ଓ ୮ ତାରିଖରେ ଘଟିଥିଲା। ଏହି ଘଟଣା କାମାରେଡ୍ଡି ଓ ହନମକୋଣ୍ଡା ଜିଲ୍ଲାରେ ଘଟିଛି।
ଅଭିଯୋଗ ହୋଇଛି ଯେ ଗାଁର ସରପଞ୍ଚ, ଅଧିକାରୀ ଏବଂ କିଛି ସ୍ଥାନୀୟ ବ୍ୟକ୍ତି ପ୍ରାଣୀ ସୁରକ୍ଷା ଆଇନର ଖୋଲା ଉଲ୍ଲଂଘନ କରି ଏପରି କାର୍ଯ୍ୟ କରିଥିଲେ। ଘଟଣା ବିଷୟରେ ଜାଣିବା ପରେ, ପ୍ରାଣୀ କଲ୍ୟାଣ କର୍ମୀ ଏବଂ ଷ୍ଟ୍ରେ ଆନିମଲ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ନିଷ୍ଠୁରତା ନିବାରଣ ପରିଚାଳକ ଅଦୁଲାପୁରମ୍ ଗୌତମ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।
ମିଳିଥିବା ସୂଚନା ଅନୁସାରେ, ନିକଟରେ ହୋଇଥିବା ଗ୍ରାମ ପଞ୍ଚାୟତ ନିର୍ବାଚନରେ କିଛି ପ୍ରାର୍ଥୀ ବୁଲା କୁକୁରଙ୍କ ସମସ୍ୟାରୁ ଗ୍ରାମବାସୀକୁ ମୁକ୍ତ କରିବାର ପ୍ରତିଶ୍ରୁତି ଦେଇଥିଲେ। ତେଣୁ ନିର୍ବାଚନ ଜିତିବା ପରେ କିଛି ସରପଞ୍ଚ ଓ ଅନ୍ୟ ଅଧିକାରୀମାନେ ଏହି ପ୍ରତିଶ୍ରୁତି ପୂରଣ କରିବା ପାଇଁ କୁକୁରମାନଙ୍କୁ ବିଷ ଇଞ୍ଜେକସନ୍ (lethal injection) ଦେଇ ମାରି ଦିଆଯାଇଥିଲା।
କୁକୁରମାନଙ୍କୁ ବିଷ ଦେଇ ମାରିବା ପରେ ଶବଗୁଡ଼ିକୁ ଗାଁ ବାହାରେ ପୋତି ଦିଆଯାଇଥିଲା। ବିଷାକ୍ତ ଇଞ୍ଜେକସନ ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯାଇଥିଲା।
ହନମକୋଣ୍ଡା ଜିଲ୍ଲାରେ ଶ୍ୟାମପେଟ୍ ଓ ଆରେପଲ୍ଲୀ ଗ୍ରାମରେ ପ୍ରାୟ ୩୦୦ କୁକୁର ମାରିବା ଅଭିଯୋଗରେ ୯ ଜଣଙ୍କ ବିରୋଧରେ କେସ୍ ରୁଜୁ ହୋଇଛି। ସେମାନଙ୍କ ମଧ୍ୟରେ ଦୁଇ ମହିଳା ସରପଞ୍ଚ, ସେମାନଙ୍କ ସ୍ୱାମୀ, ପଞ୍ଚାୟତ ସଚିବ ଆଦି ଅଛନ୍ତି। କାମାରେଡ୍ଡି ଜିଲ୍ଲାରେ ୫ଟି ଗାଁରେ ପ୍ରାୟ ୨୦୦ କୁକୁର ମାରିବା ଅଭିଯୋଗରେ ୫ ସରପଞ୍ଚ ସମେତ ୬ ଜଣଙ୍କ ବିରୋଧରେ FIR ହୋଇଛି। ମୋଟ୍ ୧୫ ଜଣଙ୍କୁ ଅଭିଯୁକ୍ତ କରାଯାଇଛି, କେତେକଙ୍କୁ ନୋଟିସ୍ ଜାରି ହୋଇଛି ଏବଂ କିଛି ଜଣଙ୍କୁ ପଚରାଉଚରା କରାଯାଉଛି।
ସେମାନଙ୍କ ବିରୋଧରେ Prevention of Cruelty to Animals Act ଓ Bharatiya Nyaya Sanhitaର ଧାରାରେ ମାମଲା ରୁଜୁ ହୋଇଛି।