ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନଙ୍କ ପ୍ରଥମ ଓଡ଼ିଶା ଗସ୍ତ

ନେତାଜୀଙ୍କ ସ୍ମୃତିରେ ଏକ ପୋଷ୍ଟାଲ ସଂଗ୍ରହାଳୟ ଉଦ୍‌ଘାଟନ କଲେ

ଭୁବନେଶ୍ୱର, ୨୩/୦୧: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଗୁରୁବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବା ପରେ ସିଧା କଟକ ଅଭିମୁଖେ ଯାତ୍ରା କରିଥିଲେ ଉପରାଷ୍ଟ୍ରପତି। ନିର୍ଦ୍ଧାରିତ ସମୟର ପ୍ରାୟ ୨୫ ମିନିଟ୍ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିଥିଲେ।

ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ଉପରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

ବିମାନବନ୍ଦରରୁ ଉପରାଷ୍ଟ୍ରପତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ ଅବସରରେ ପରାକ୍ରମ ଦିବସ ପାଳନ କରାଯାଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କଟକ ଯାତ୍ରା କରିଥିଲେ।

ଏହା ପରେ ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନ୍, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ କଟକର ନେତାଜୀ ସଂଗ୍ରହାଳୟ ପରିଦର୍ଶନ କରିଥିଲେ।

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି, ନେତାଜୀ ସ୍ମାରକୀ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିଥିଲା।

ଉପରାଷ୍ଟ୍ରପତି କଟକରେ ଜିଲ୍ଲା ସଂସ୍କୃତି ଭବନର ମଧ୍ୟ ଉଦଘାଟନ କରିଥିଲେ। ନେତାଜୀଙ୍କ ସ୍ମୃତିରେ ଏକ ପୋଷ୍ଟାଲ ସଂଗ୍ରହାଳୟ ଉଦ୍‌ଘାଟନ କରିଛନ୍ତି ଉପରାଷ୍ଟ୍ରପତି।

ଅଭିଭାଷଣ ରଖି ଉପରାଷ୍ଟ୍ରପତି କହିଛନ୍ତି, “ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ନେତାଜୀ। ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଶାକୁ ଆସିବାର ସୁଯୋଗ ପାଇଥିବାରୁ ମୁଁ ଗର୍ବିତ। ଓଡ଼ିଶା ଏହାର କଳା, ସଂସ୍କୃତି ଓ ଇତିହାସ ପାଇଁ ପରିଚିତ। ନେତାଜୀଙ୍କ ପରି ବୀରଙ୍କ ପାଇଁ ଭାରତ ଆଜି ସ୍ବାଧୀନତାର ନିଶ୍ବାସ ନେଉଛି। ନେତାଜୀ ଗାନ୍ଧୀଙ୍କ ବିଚାରଧାରାର ବିରୋଧୀ ଥିଲେ ମାତ୍ର ଉଭୟଙ୍କ ଲକ୍ଷ୍ୟ ଏକ ଥିଲା। ଦିଲ୍ଲୀ ଚଲୋ ଡାକରା ଭଳି ଆମେ ବିକଶିତ ଭାରତ ଆଡକୁ ଆଗେଇବା ଉଚିତ। ଦେଶର ବରପୁତ୍ରଙ୍କୁ ସମ୍ମାନିତ କରିବା ପ୍ରୟାସ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ।”

ଉପରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ଟ୍ୱିନ୍ ସିଟି ଭୁବନେଶ୍ୱର ଏବଂ କଟକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଯାତ୍ରା କାର୍ଯ୍ୟକ୍ରମ ଅନୁଯାୟୀ, ଉପରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରୁ ଅପରାହ୍ନ ୨.୧୫ ରେ କୋଲକାତା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।